ପ୍ରତିରକ୍ଷା କ୍ଷେତ୍ରରେ ବାହୁବଳୀ ବନୁଛି ଭାରତ ! ସ୍ଥଳ, ଜଳ ଓ ବାୟୁରେ ଅପ୍ରତିଦ୍ୱନ୍ଦୀ ଭାରତୀୟ ସେନା

78

କନକ ବ୍ୟୁରୋ : ଶତ୍ରୁପକ୍ଷର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଭାରତ । ଜଳ, ସ୍ଥଳ ଓ ଆକାଶପଥରେ ଶକ୍ତିଶାଳୀ ହେଉଛି ଭାରତ । ବାହ୍ୟଶତ୍ରୁର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଭାରତ ଆପଣାଉଛି । ଭାରତ ଗତ କିଛି ବର୍ଷ ମଧ୍ୟରେ ଫ୍ରାନ୍ସ, ଇତ୍ସାଏଲ ଓ ଆମେରିକା ଭଳି ଦେଶ ସହ ପ୍ରତିରକ୍ଷା କ୍ଷେତ୍ରରେ ଚୁକ୍ତି କରି ନୂଆ ନୂଆ ଯୁଦ୍ଧାସ୍ତ୍ର ହାତେଇବାରେ ସକ୍ଷମ ହୋଇଛି । ଏବେ ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଭାରତର ଏକ ଘନିଷ୍ଠ ସହଯୋଗୀ ଭାବେ ଉଭା ହୋଇଛି । ସବୁ କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଭାରତ ଅନ୍ୟ ଦେଶ ସହ କରିଥିବା କିଛି ପ୍ରତିରକ୍ଷା ଚୁକ୍ତି ବିଷୟରେ ଆସନ୍ତୁ ଜାଣିବା ।

ଆମେରିକା: ଭାରତ- ଆମେରିକା ମଧ୍ୟରେ ଜୁନ୍ ମାସରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ,  ଆମେରିକା ୨୨ଟି ଗାର୍ଡିୟନ ଡ୍ରୋନ ଭାରତକୁ ଦେବ । ଏହି ୨୨ଟି ଗାର୍ଡିୟନ ଡ୍ରୋନର ଆନୁମାନିକ ମୂଲ୍ୟ ୨ ବିଲିୟନ ଡଲାରରୁ ବି ଅଧିକ ହେବ । ୫୦ ହଜାର ଫୁଟ ଉପରେ ଉଡିପାରୁଥିବା ଏହି ଡ୍ରୋନଟି ଅନବରତ ଭାବେ ୨୭ ଘଣ୍ଟା ଧରି ଆକାଶପଥରେ ଉଡିପାରିବ । ଏହି ଡ୍ରୋନଟି ସେନାରେ ସାମିଲ ହେବା ପରେ ବାୟୁସେନାର ଶକ୍ତି ବୃଦ୍ଧି ପାଇବ ବୋଲି ଭାରତ ଆଶାବାଦୀ ଅଛି । ଚଳିତବର୍ଷ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ଚୁକ୍ତି ହୋଇଥିଲା । ତେବେ ଆମେରିକା ପ୍ରଥମ ଥର ପାଇଁ ନାଟୋରେ ସଦସ୍ୟ ନଥିବା ଦେଶକୁ ଏହି ଡ୍ରୋନ ବିକ୍ରି କରିଛି । କେବଳ ଆକାଶପଥ ନୁହେଁ ଜଳପଥରେ ମଧ୍ୟ ଶତ୍ରୁ ଉପରେ ନଜର ରଖିବ ଏହି ଡ୍ରୋନ ।

କେବଳ ଡ୍ରୋନ ନୁହେଁ ଭାରତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଏଏଚ-୬୪ଇ ଆପୋଚ ହେଲିକପ୍ଟର କିଣିବାକୁ ଆମେରିକା ସହ ୪୧୬୮ କୋଟି ଟଙ୍କାର ଚୁକ୍ତି କରିଛି । ଏହି ଏଏଚ୍-୬୪ଇ ଆପୋଚ ହେଲିକପ୍ଟର ସ୍ୱତନ୍ତ୍ର ଜ୍ଞାନକୌଶଳରେ ନିର୍ମିତ । ଏହି ହେଲିକପ୍ଟର ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ଉଡି ପାରିବ । ଶତ୍ରୁପକ୍ଷର ରାଡାରରେ ଏହି ହେଲିକପ୍ଟର ଆସିବା କଷ୍ଟକର  ।

ଇତ୍ସାଏଲ: ମୋଦିଙ୍କ ଇତ୍ସାଏଲ ଗସ୍ତ ଭାରତକୁ ବେଶ ଫାଇଦା ଦେଇଛି । ଏହି ଗସ୍ତ ସମୟରେ ଭାରତ ଇତ୍ସାଏଲର ସରକାରୀ ଯୁଦ୍ଧାସ୍ତ୍ର ନିର୍ମାଣକାରୀ କମ୍ପାନୀ ଇତ୍ସାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରୀ ସହ ୬୩୦ ମିଲିୟନ ଟଙ୍କାର ଚୁକ୍ତି କରିଛି । ଏହି ଚୁକ୍ତି ଅନୁଯାୟୀ, ଇତ୍ସାଏଲ ଭାରତକୁ ବାରାକ-୮ ମିସାଇଲ ଦେବ । ବାରାକ-୮ ମିସାଇଲ ଭୂପୃଷ୍ଠରୁ ଆକାଶପଥରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ । ଜାହାଜୁ ୬୦ କିଲୋମିଟର ଦୂର ପଯ୍ୟନ୍ତ ରାଡାରରେ ଥିବା ଟାର୍ଗେଟକୁ ବେଶ ସହଜରେ ଲକ୍ଷ୍ୟଭେଦ କରିପାରିବ ବାରାକ-୮ ।

ଋଷ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ପାରମ୍ପରିକ ସହଯୋଗୀ ଋଷ ସହ କାମୋବ ହେଲିକପ୍ଟର ନେଇ ହୋଇଥିବା ଚୁକ୍ତି ଅନୁଯାୟୀ, ଋଷ ୨୦୦ରୁ ଉଦ୍ଧ୍ୱର୍ କାମୋବ ହେଲିକପ୍ଟର ଭାରତକୁ ପ୍ରଦାନ କରିବ ।  ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ଯାଉଥିବା ଏହି ହେଲିକପ୍ଟର ଶତ୍ରୁପକ୍ଷକୁ ବେଶ ଆରାମରେ ଚକମା ଦେଇପାରିବ । ୬ ଜଣ ବସିବା ପାଇଁ ଉଦ୍ଦିଷ୍ଟ ଥିବା ଏହି ହେଲିକପ୍ଟରକୁ ଭାରତ ସିଆଚୀନ ଅଞ୍ଚଳରେ ମଚତୟନ କରିବାକୁ ଲକ୍ଷ୍ୟ ରଖିଛି ।

ଫ୍ରାନ୍ସ: ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ଗତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ, ଭାରତ ଫ୍ରାନ୍ସ ପାଖରୁ ୩୬ଟି ରାଫେଲ ଫାଇଟର ଜେଟ ଆଣିବ । ଏହି ୩୬ଟି ଫାଇଟର ଜେଟ ପାଇଁ ମୋଟ ୫୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ଭାରତ ।  ପବନ ବେଗରେ ଯାଉଥିବା ଲଢୁଆ ବିମାନ ରାଫେଲ ଶତ୍ରୁପକ୍ଷକୁ ଗୋଟିଏ ମିନିଟରେ ମାତ ଦେବାକୁ ସକ୍ଷମ । ଏହି ଫାଇଟର ଜେଟ ପାଇବା ପାଇଁ ଫ୍ରାନ୍ସ ସହ ଭାରତର ଦୀର୍ଘ ଦିନର ଆଲୋଚନା ସଫଳ ହୋଇଛି ।