ବର୍ଷା ସ୍ରୋତରେ ଭାସିଗଲେ ହରିଣ ଓ କୃଷ୍ଣସାର ମୃଗ ! ଖରଖରି ନାଳର ବନ୍ୟା ଜଳରୁ ହରିଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ ।

5

କନକ ବ୍ୟୁରୋ : ପାଣିର ପ୍ରବଳ ସ୍ରୋତରେ ଭାସିଯାଇଛନ୍ତି ହରିଣ ଓ କୃଷ୍ଣସାର ମୃଗ । ଗତ ୧୫ ତାରିଖରେ ଗଂଜାମ ପୁରୁଷତ୍ତମପୁରରେ ଥିବା ଖରଖରି ନାଳରେ ବନ୍ୟା ଜଳ ଆସିଥିଲା । ଏଥିରେ ୧୫ରୁ ୨୦ ହରିଣ ଭାସିଯାଇଥିଲେ । ଗ୍ରାମବାସୀ କିଛି ହରିଣଙ୍କୁ ଉଦ୍ଧାର କରି ବନବିଭାଗକୁ ଦେଇଥିବା ବେଳେ ଆହୁରି କିଛି ହରିଣ ପାଣିରେ ଭାସିଯାଇଥିଲେ । କେମିତି ଓ କେଉଁ ପରିସ୍ଥିତିରେ ହରିଣ ଭାସିଗଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇଛି ନା ହରିଣ ପ୍ରାଣ ହରାଇଛନ୍ତି ସେନେଇ ସାମନାକୁ ଆସିଛି ସତ ।

ଗଂଜାମ ପୁରୁଷୋତମପୁର ବ୍ଲକର କେ ଏନ୍ ପୁର ହରିଣ ଓ କୃଷ୍ଣସାର ମୃଗଙ୍କ ବାସସ୍ଥଳୀ । ଶହ ଶହ ସଂଖ୍ୟାରେ ହରିଣ ଏଠାରେ ଥିବା ଖରଖରି ନାଳ ଅଂଚଳରେ ଖାଦ୍ୟ ପାଇଁ ଘୁରି ବୁଲନ୍ତି । ଗତ ୧୫ ତାରିଖ ଦିନ ଏହି ନାଳରେ ବନ୍ୟା ଜଳ ଆସିଥିଲା । ଆଉ ସେଠାରେ ପାଣି ପିଉଥିବା ବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ ୧୫ରୁ ୨୦ ହରିଣ ।

କିଛି ହରିଣକୁ ଗାଁଲୋକ ଉଦ୍ଧାର କରିଥିଲେ । ଆହତ ହରିଣକୁ ଚିକିତ୍ସା କରି ବନବିଭାଗକୁ ଦେଇଥିଲେ । ହେଲେ ନଇର ପ୍ରବଳ ସ୍ରୋତରେ ଆହୁରି କିଛି ହରିଣ ଭାସିଯାଇଥିବା ଗାଁଲୋକ କହିଛନ୍ତି । ବଡ କଥା ହେଉଛି ସେଥି ମଧ୍ୟରେ କିଛି ବିରଳ କୃଷ୍ଣସାର ମୃଗ ବି ରହିଥିଲେ । ଅଭିଯୋଗ ହୋଇଛି ହରିଣ ଓ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବନ ବିଭାଗ ଦୃଷ୍ଟି ଦେଉନି । ଫଳରେ ପ୍ରତିବର୍ଷ ଏଭଳି ଭାବେ ଅନେକ ବିରଳ ଜୀବ ପାଣିରେ ଭାସିଯାଉଛନ୍ତି ।

Comments are closed.