ଚାଲିଛି ବେଧଡକ ବନ୍ୟଜନ୍ତୁ ଶିକାର । ନବରଙ୍ଗପୁର ଚନ୍ଦାହାଣ୍ଡିରେ ହରିଣ ମାରି ଖୁଲମଖୁଲା ବିକ୍ରି କରୁଛନ୍ତି ଶିକାରୀ

133

କନକ ବ୍ୟୁରୋ : ନବରଙ୍ଗପୁରରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର । ହରିଣକୁ ମାରି ବେକରେ ପକାଇ ବିକ୍ରି କରିବାକୁ ଯାଉଛନ୍ତି ଜଣେ ଯୁବକ । ସାଥୀରେ ଗ୍ରାମବାସୀମାନେ ମଧ୍ୟ ଅଛନ୍ତି । ଏମିତି ଏକ ଭିଡିଓ ଭାଇରାଲ ହୋଇଛି । ଏ ହେଉଛି ଚନ୍ଦାହାଣ୍ଡି ବ୍ଲକ ଫଟକି ପଂଚାୟତ ଏକ ଗାଁର ଚିତ୍ର । ବେଧଡକ ବନ୍ୟଜନ୍ତୁ ଶିକାର କରି ଖୁଲମ ଖୁଲା ବିକ୍ରି କରୁଛନ୍ତି ଏଠାକାର ଲୋକେ ।

ଏ ଦୃଶ୍ୟ ଭାଇରାଲ ହେବା ପରେ ସ୍ପଷ୍ଟ ଭାବେ ଜଣାପଡୁଛି. ଯେ, ଜନ୍ତୁ ଶିକାର ରୋକିବାରେ ବିଫଳ ହୋଇଛି ବନ୍ୟ ପ୍ରାଣୀ ବିଭାଗ । ଚନ୍ଦାହାଣ୍ଡିରେ ବନ୍ୟଜନ୍ତୁ ଶିକାର ହେଉଥିବା ନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ପ୍ରଶାସନ ଚୁପ ବସିଛି । କେବଳ ଏତିକି ନୁହେଁ କାଠ ମାଫିଆମାନେ ଜଙ୍ଗଲକୁ କାଟି ପଦା କରିଦେଲେଣି । ତଥାପି ବନ ବିଭାଗର ନିଦ ଭାଙ୍ଗୁନି ।

ରାଜ୍ୟରେ ବନ୍ୟଜନ୍ତୁ ଶିକାର ଉପରେ ରୋକ ଲଗାଇବା ପାଇଁ ଅନେକ ନିୟମ ରହିଥିଲେ ବି ଖୁଲମଖୁଲା ଚାଲିଛି ବନ୍ୟଜନ୍ତୁ ଶିକାର । ସେପଟେ ଏତଲା ଦେବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଛି ।