ଭୟଙ୍କର ରୂପ ନେବ ବାତ୍ୟା ତିତଲି! ୧୦୦ରୁ ୧୧୦ କିଲୋମିଟର ବେଗରେ ବହିପାରେ ପବନ, ମୁକାବିଲା ପାଇଁ ତୟାର ଅଛନ୍ତି ସରକାର

90

କନକ ବ୍ୟୁରୋ : ତିତଲିର ତାଜା ଖବର । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟାରେ ପରିଣତ ହେବ ତିତଲି । ଏବେ ଗୋପାଳପୁର ଠାରୁ ୫୩୦ କିଲୋମିଟର ଦୂରରେ ତିତଲି ରହିଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟ୍ଟନମ –ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଆଉ ଏହି ସମୟରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ତିତଲି ଗତ ୬ ଘଣ୍ଟା ହେଲା ୮ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ।

TITLIସମ୍ଭାବ୍ୟ ବାତ୍ୟାକୁ ନେଇ ୬ଟି ଏନଡିଆରଏଫ ଟିମ ମୁଣ୍ଡଳୀ ୟୁନିଟରୁ ପଠାଯାଇଛି । ପୁରୀ,କେନ୍ଦ୍ରାପଡା,ଯାଜପୁର,ଗଜପତି,ଭଦ୍ରକ, ନୟାଗଡକୁ ସମସ୍ତ ଯାନ୍ତ୍ରିକ ଉପକରଣ ସହ ଏନଡିଆରଏଫ ଟିମକୁ ପଠାଯାଇଛି । ତିତଲି ପ୍ରଭାବରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡିଶାରେ ବର୍ଷାର ଆରମ୍ଭ ହୋଇଯିବ । ୧୦-୧୧ ତାରିଖରେ ଦକ୍ଷିଣ ଓଡିଶା-ଉପକୂଳ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୧୨ ତାରିଖରୁ ବର୍ଷାର ପରିମାଣ କମିବ ।

ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆବଶ୍ୟକ ତଳିଆ ଅଂଚଳର ଲୋକଙ୍କୁ ସ୍ଥ୍ାନାନ୍ତର ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜିଠୁ ୩ ଦିନ ଧରି ବର୍ଷା ଲାଗି ରହିବ । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ କୁହାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ବିମାନ ବନ୍ଦର ପ୍ରସ୍ତୁତ । ସମସ୍ତ ବିଭାଗର ମୁଖ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ପବନର ବେଗକୁ ଦେଖି ବିମାନ ଉଡାଣ ଆବଶ୍ୟକ ହେଲେ ପରିବର୍ତନ ହେବ ବୋଲି କୁହାଯାଇଛି ।

ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ଗଂଜାମ,ଗଜପତି, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସହ ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଳା ପାଇଁ ଏହି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଳାରେ ଆସନ୍ତାକାଲିଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ଦୁଇ ଦିନ ଧରି ବର୍ଷାର ପରିମାଣ ବଢିବ । ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି । —