୧୯ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ : ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

56

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ପୁଣିଥରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ୧୯ ତାରିଖ ବେଳକୁ ଏହି ଘୁର୍ଣ୍ଣିବଳୟ ଲଘୁଚାପ ବଳୟରେ ପରିଣତ ହେବ । ଫଳରେ ପୁଣିଥରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିସାରିଛି । ତେଣୁ ଆସନ୍ତା ୪୮ ଘଣ୍ଟା ପର୍ଯର୍୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ। ଓଡ଼ିଶା ଉପରେ ମୌସୁମୀ ସକ୍ରିୟ ରହିଥିବାରୁ ତାହା ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବ । ୧୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଘଟିବ ।

ଏଥର ଲଘୁଚାପରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର, ନବରଙ୍ଗପୁୁର, ନୂଆପଡ଼ା ସମେତ ଉତ୍ତର ଓଡ଼ିଶାରେ ବର୍ଷା ହେବ । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ହୋଇପାରେ । ୩ ଦିନ ଧରି ଲଘୁଚାପ ବର୍ଷା ଲାଗିରହିବ । ୨୦ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ପରଦିନ ଅର୍ଥାତ୍‌ ୨୧ ତାରିଖଠାରୁ ଧୀରେ ଧୀରେ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଗତ ୩୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଛି । ଶୁକ୍ରବାର ରାତିରେ ଏଠାରେ ୩୩.୯ ମିମି ବର୍ଷା ହୋଇଥିବା ବେଳେ ଆଜି ଦିନ ସମୟରେ ହାଲକା ବର୍ଷା ହୋଇଥିଲା । ଏହି ସମୟ ମଧ୍ୟରେ ପୁରୀରେ ୩୨, ସୋନପୁରରେ ୨୫, ହୀରାକୁଦରେ ୧୬.୯, ବାରିପଦାରେ ୧୩.୪, ଢ଼େଙ୍କାନାଳରେ ୧୨ ମିମି ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।