ଜିରୋ ନାଇଟରେ ସରୁଛି ସୁପ୍ରିମକୋର୍ଟଙ୍କ ଖଣି ଜରିମାନା ଅବଧି : ଡିସେମ୍ବର ୩୧ରେ ବଡ ବଡ ଖଣି ମାଲିକଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

26

କନକ ବ୍ୟୁରୋ : ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରି । ସରିଆସୁଛି ଖଣି ଫାଇନ ଦେବାର ଡେଡଲାଇନ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜୋରିମାନା ନଦେଲେ ଚାଲୁଥିବା ଖଣିକୁ ବନ୍ଦ କରିଦିଆଯିବ । ତେବେ ଶନିବାର ଅପରାହ୍ନ ୫ଟା ସୁଦ୍ଧା ଫାଇନ୍ ଅବଦାୟ ହୋଇଛି ୮୦୬୨.୩ କୋଟି । ରାଜ୍ୟରେ ଫାଇନ ଆଦାୟ ହେବାକୁ ଥିବା ୧୫୨ଟି ଖଣିରୁ ୫୪ଟି ଖଣି ଏବେ କାର୍ଯ୍ୟକ୍ଷମ ଅଛି । ଚାଲୁଥିବା ଖଣିଗୁଡ଼ିକ ଜୋରିମାନା ଦେବା ଜାରି ରଖିଛନ୍ତି । ବର୍ତମାନ ସୁଦ୍ଧା ଓଏମ୍ସି ୧୯୯୩ କୋଟି, ଟାଟା, ରୁଙ୍ଗଟା ୧୦୦୦ କୋଟିରୁ ଅଧିକ ଟଙ୍କା, ଆର୍ଯ୍ୟ ମାଇନିଂ ଓ ଟ୍ରେଡିଂ ୧୪୬ କୋଟି ଟଙ୍କା ଜୋରିମାନା ଦେଇଛନ୍ତି । ତେବେ ବଡ କଥା ହେଉଛି ଚାଲୁ ରହିଥିବା କିଛି ବଡ ଖଣି ଲିଜଧାରୀ ଏଯାଏଁ ଅର୍ଥ ପ୍ରଦାନ କରିନାହାନ୍ତି । ତାଲିକାରେ ଅଛନ୍ତି ମେସ୍କୋ, ସିରାଜୁଦ୍ଦିନ ଭଳି ଲିଜଧାରୀ ।

ବଡ କଥା ହେଉଛି, ନିର୍ଦ୍ଧାରିତ ସମୟରେ ଯେଉଁ ଲିଜଧାରୀ ଫାଇନ ବାବଦ ଅର୍ଥ ପ୍ରଦାନ କରିବେ ନାହିଁ, ସେମାନଙ୍କ ବାବଦରେ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟିକୁ ରାଜ୍ୟ ସରକାର ଜଣାଇଦେବେ । ଏହାପରେ ସୁପ୍ରିମକୋର୍ଟ ଯେଉଁ ଆଭିମୁଖ୍ୟ ରଖିବେ,ରାଜ୍ୟ ସେହି ଅନୁସାରେ କାର୍ଯ୍ୟ କରିବ ବୋଲି ଜଣାପଡିଛି । ଅର୍ଥାତ୍ ଫାଇନ୍ କିଭଳି ଆଦାୟ ହେବ, ସୁପ୍ରିମକୋର୍ଟ ଏନେଇ ପୁନର୍ବାର ନିର୍ଦ୍ଦେଶ ଦେଇପାରନ୍ତି । ତେବେ ବଡ ପ୍ରଶ୍ନ ଉଠୁଛି, ଯେଉଁମାନଙ୍କ ଖଣି କିଛି ବର୍ଷ ହେଲା ବନ୍ଦ ହୋଇଯାଇଛି, ସେମାନଙ୍କ ଠାରୁ କିଭଳି ଜୋରିମାନା ଆଦାୟ ହେବ? ବେଆଇନ ଭାବେ ଖଣି ଖୋଳିବା ପରେ ଅର୍ଥ କୁଆଡେ ଗଲା ତାହା ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।