ଅପରାଜିତା ଜାତୀୟ ଦଳରେ ସାମିଲ ହେଲେ ଆଂଚଳିକ ଦଳ ଉପରେ ପଡିବନି ପ୍ରଭାବ : ବିଜେଡି

220

କନକ ବ୍ୟୁରୋ : ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଚର୍ଚ୍ଚା ଅନୁସାରେ ରାଜ୍ୟ ରାଜନୀତିରେ ଏକ ବଡ ଭୂମିକାରେ ଅସିବାକୁ ଯାଉଛନ୍ତି ଏହି ପ୍ରଶାସନିକ ଅଧିକାରୀ । ତେବେ ଏନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ଅପରାଜିତା । ଏହି ଚର୍ଚ୍ଚା ଭିତରେ ସେ କେଉଁ ଦଳରେ ଯୋଗ ଦେବେ ? ଏବଂ ସେ ରାଜନୀତିରେ ଯୋଗ ଦେବା ପରେ ରାଜ୍ୟ ରାଜନୀତି ଉପରେ ପ୍ରଭାବ ପଡିବ ସେ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଅପରାଜିତା ଯଦି କୌଣସି ଜାତୀୟ ଦଳରେ ଯୋଗ ଦିଅନ୍ତି ତେବେ ଏହାର ପ୍ରଭାବ ଆଂଚଳିକ ଦଳ ଉପରେ ପଡିବ ନାହିଁ ।

ଅନ୍ୟପଟେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଅପରାଜିତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଦଳ ତାଙ୍କୁ ସ୍ୱାଗତ କରିବ । ତେବେ ଅପରାଜିତାଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ନେଇଥିବା କିଛି ବଡ ନିଷ୍ପତି ଆଜି ବି ତାଙ୍କୁ ଆଗଧାଡିରେ ରଖିଛି । ଯେଉଁ ଲୋକପ୍ରିୟତା ପ୍ରଶାସନିକ ଜୀବନରେ ସେ ହାସଲ କରିଥିଲେ, ଠିକ ସେଭଳି ରାଜନୈତିକ ସ୍ତରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଚି । ଦିଲ୍ଲୀ ଭଳି ଓଡିଶାରେ ବିଜେପି ନୂଆ ଏକ ଫର୍ମୁଲା ସହ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଚାଲୁଥିବା ବେଳେ ଅପରାଜିତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ।