ପ୍ରତିଭା ବାଛିବେ ଦେବାଶିଷ ମହାନ୍ତି ! ଜାତୀୟ ଜୁନିୟର କ୍ରିକେଟ ଦଳର ହେଲେ ଚୟନକର୍ତା ।

27

କନକ ବ୍ୟୁରୋ : କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଭାରତୀୟ କନିଷ୍ଠ ଦଳର ଚୟନକର୍ତା ଭାବେ ନୂଆ ନିଯୁକ୍ତି ମିଳିଛି । ଏନେଇ ଦେବାଶିଷଙ୍କୁ ଫୋନ ଯୋଗେ ଜଣାଇ ଦିଆଯାଇଛି । ଭେଙ୍କଟେଶ ପ୍ରସାଦ ଗତ ମାର୍ଚ୍ଚ ମାସରେ ମୁଖ୍ୟ ଚୟନକର୍ତା ପଦରୁ ଇସ୍ତଫା ଦେବାପରେ ଏହି ପଦବୀ ଖାଲି ପଡିଥିଲା । ସେହି ସ୍ଥାନରେ ଦେବାଶିଷଙ୍କୁ ଚୟନ କରାଯାଇଛି । ପୂର୍ବରୁ ଲୋଧା କମିଟିର ନିର୍ଦ୍ଦେଶନାମା ଅନୁସାରେ ଏହି ସଦସ୍ୟ ସଂଖ୍ୟାକୁ ୩ ରଖାଯାଇଥିବା ବେଳେ ଗତ ଅଗଷ୍ଟ ୯ତାରିଖରେ ସୁପ୍ରିମକୋର୍ଟ ଏହାକୁ ୫କୁ ବୃଦ୍ଧି କରିଥିଲେ ।

ଦେବାଶିଷଙ୍କ ସହିତ ଆଶିଷ କପୁର, ରାକେଶ ପାରିଖ, ଜ୍ଞାନେନ୍ଦ୍ର ପାଣ୍ଡେ ଏବଂ ଅମିତ ଶର୍ମା କନିଷ୍ଠ କ୍ରିକେଟରଙ୍କ ଚୟନ କରିବେ । ସେପ୍ଟେମ୍ବର ୯ତାରିଖରୁ ୧୯ବର୍ଷରୁ କମ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା ଖେଳାଯିବ । ଏହାପରେ ସେପ୍ଟେମ୍ବର ୨୭ରୁ ଢାକାରେ କନିଷ୍ଠ ଏସିଆ କପ ଖେଳାଯିବ । ଏହାପୂର୍ବରୁ ନୂଆ କନିଷ୍ଠ ଚୟନ ସମିତି ଭାରତୀୟ ଦଳର ଚୟନ କରିବ । ଏହାକୁ ନେଇ ଦେବାଶିଷ ଉତ୍ସାହିତ ଥିବା କହିଛନ୍ତି । ଏହା ତାଙ୍କ ପାଇଁ ଏକ ବଡ ଦାୟିତ୍ୱ ବୋଲି ଦେବାଶିଷ କହିଛନ୍ତି । ଏହିଠାରୁ ଭାରତୀୟ ବରିଷ୍ଠ ଦଳର ଖେଳାଳିମାନେ ତିଆରି ହେଉଥିବାରୁ ଚୟନ ପ୍ରକ୍ରିୟା ନିଶ୍ଚିତ ଭାବେ ବଡ ଆହ୍ୱାନ ହେବ ବୋଲି ସେ କହିଛନ୍ତି ।