ସାଂସଦ ଭର୍ତୃହରିଙ୍କ ସ୍ତମ୍ଭକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା : କହିଲେ ଦେଶକୁ ୧୦ ବର୍ଷ ପଛକୁ ନେଇଛି ଧର୍ମେନ୍ଦ୍ରଙ୍କ କାମ

25

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ପ୍ରଶଂସା ନେଇ ରାଜନୀତି ଜୋର ଧରିଛି । ଏ ନେଇ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସାଂସଦ ବ୍ୟକ୍ତିଗତ ଭାବେ ବୋଧହୁଏ ଧର୍ମେନ୍ଦ୍ରଙ୍କୁ ଭଲପାଉଛନ୍ତି । ସେଥିପାଇଁ ବୋଧହୁଏ ଧର୍ମେନ୍ଦ୍ରଙ୍କୁ ନେଇ ସ୍ତମ୍ଭ ଲେଖିଛନ୍ତି । ଧର୍ମେନ୍ଦ୍ରଙ୍କ କାର୍ଯ୍ୟ ଦେଶକୁ ୧୦ ବର୍ଷ ପଛକୁ ନେଇଯାଇଛି ।

ନିଜ ଖବରକାଗଜରେ ପ୍ରକାଶିତ ସ୍ତମ୍ଭରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ପ୍ରଶଂସାରେ ପୋତି ପକାଇଥିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ । ସେ ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ନିଜ ଦକ୍ଷତା ଯୋଗୁଁ କ୍ୟାବିନେଟ ମନ୍ତ୍ରୀର ଦାବୀଦାର ଥିଲେ । ଏବଂ କ୍ୟାବିନେଟ ପାହ୍ୟା ହାତେଇଲେ ମଧ୍ୟ । ଉଜ୍ଜ୍ୱଳା ଯୋଜନାରେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାରିତା ଯୋଗୁଁ ତାଙ୍କୁ ପୁରସ୍କାର ମିଳିଛି ।

ଏପରିକି କେନ୍ଦ୍ରମନ୍ତ୍ରୀ ୩ ବର୍ଷରେ ଯାହା କରିଛନ୍ତି ତାହା ପୂରଣ କରିବାକୁ ସାଧାରଣ ବ୍ୟବସ୍ଥାରେ ୧୦ ବର୍ଷ ଲାଗିବ ବୋଲି ଯୁକ୍ତି ରଖିଥିଲେ ଭର୍ତୃହରି । ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ଝଡ । ବାରମ୍ବାର ନିଜ ଭାଷଣରେ ବିଜେଡିକୁ ହଇରାଣରେ ପକାଉଥିବା ଧର୍ମେନ୍ଦ୍ରଙ୍କୁ ଭର୍ତ୍ତୃହରି ପ୍ରଂଶସା କରିବା ବିଜେଡିର ସହଜରେ ହଜମ ହେଉନାହିଁ । ବିଜେଡି ଏବେ ଧର୍ମେନ୍ଦ୍ରଙ୍କୁ ସିଧାସଳଖ ନିଜ ନିଶାନାରେ ରଖିଥିବା ବେଳେ ଦଳୀୟ ସାଂସଦଙ୍କ ଏମିତି ଲେଖାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।