ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ନେଇ କଂଗ୍ରେସର ୬ ଘଂଟିଆ ଚକାଜାମ୍ : ବିଜେଡି କହିଲା, ଡ୍ରାମା କରୁଛନ୍ତି ଜାତୀୟ ଦଳ

29

କନକ ବ୍ୟୁରୋ : କଂଗ୍ରେସର ଚକା ଜାମ୍ ଶେଷ । ପେଟ୍ରୋଲ ଓ ଡିଜେଲ ସହ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଂଟିଆ ଚକାଜାମ୍ ଆନ୍ଦୋଳନ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି । ଏହାର ପ୍ରଭାବରେ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ୱର ଓ କଟକରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଗାଡି ନଚଲାଇବାକୁ ଲୋକଙ୍କୁ କଂଗ୍ରେସ ଅନୁରୋଧ କରିଥିଲା । ଫଳରେ କଂଗ୍ରେସ ଚକାଜାମ୍ ଡାକରାର ପ୍ରଭାବ ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଥିଲା । କଂଗ୍ରେସର ଏହି ୬ ଘଂଟିଆ ବନ୍ଦ ଡାକରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜଧାନୀରେ ୧୫ ପ୍ଲାଟୁନ୍ ଓ କଟକରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବଡ ବଡ ଛକ ମାନଙ୍କରେ ୫୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସତର୍କ ନଜର ରଖିଥିଲେ । ସେପଟେ କଂଗ୍ରେସର ଚକାଜାମ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ତୈଳଦର ନାଁ ରେ ଦୁଇଟି ଜାତୀୟ ଦଳ ଡ୍ରାମା କରୁଛନ୍ତି । ରାଜ୍ୟରେ ତୈଳଦର ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବା ଅଧିକାର କେବଳ ବିଜେଡିର ରହିଛି ।

ସେପଟେ କଂଗ୍ରେସ ହରତାଲ ସମୟରେ କଟକରେ ଜଣେ ଆଇଟିଆଇ ଛାତ୍ରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ର ଏ ନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଚିକିତ୍ସା ଲାଗି ପୋଲିସ ତାଙ୍କୁ ଏସସିବି ମେଡିକାଲକୁ ପଠାଇଛି । କଟକ ପ୍ରେସ ଛକ ଓଭରବ୍ରିଜରେ ଆକ୍ରମଣର ଶିକାର ହୋଇଥିବା ଆହତ ଛାତ୍ର ଅଭିଯୋଗ କରିଛନ୍ତି । ଆକ୍ରମଣ କରିଥିବା ବ୍ୟକ୍ତି ହାତରେ କଂଗ୍ରେସ ପତାକା ଧରିଥିଲେ ବୋଲି ସେ କହିଛନ୍ତି । ତେବେ ତାଙ୍କ ବାପା ଦୁର୍ଘଟଣାର ଶିକାର ହୋଇଥିବା ଖବର ପାଇ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ଛାତ୍ର ଜଣକ ଅଭିଯୋଗ କରିଛନ୍ତି ।

ରାଜ୍ୟବାସୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିବା ଯେକୌଣସି ପ୍ରସଙ୍ଗକୁ ନେଇ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି କଂଗ୍ରେସ ଏହି ଆନ୍ଦୋଳନରେ ନେତୃତ୍ୱ ନେଉ ବୋଲି ଲୋକେ ଚାହୁଁଥିବା କଂଗ୍ରେସ ନେତାମାନେ କହିଛନ୍ତି ।