ଝୁଲୁଛି ମୃତ୍ୟୁର ଫାଶ! ମାଟି ଠାରୁ ମାତ୍ର ଚାରି ପାଂଚ ଫୁଟ ଉଚ୍ଚରେ ଓହଳିଛି ବିପଦପୂର୍ଣ୍ଣ ୧୧କେଭି ବିଦ୍ୟୁତ୍ ତାର

73

କନକ ବ୍ୟୁରୋ : ମୁଣ୍ଡଉପରେ ଓହଳି ରହିଛ ବିପଦପୂର୍ଣ୍ଣ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ୍ ତାର । କେତେବେଳେ ଯେ ଦୁର୍ଘଟଣା ଘଟି ଜନଜୀବନ ହାନି ନଘଟିବ ତାହା କହି ହେବନାହିଁ । ଏସବୁ ଦେଖି ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ବିଦ୍ୟୁତ୍ ବିଭାଗ । ବିଗତ ଦିନ ମାନଙ୍କରେ ବିଦ୍ୟୁତ୍ ପାଇଁ ବହୁ ଚାଷୀଙ୍କ ଜୀବନ ଯାଇଥିବା ବେଳେ ଏବେ ପୁଣି ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି ଝୁଲି ରହିଥିବା ଏହି ବିଦ୍ୟୁତ୍ ତାର । ଆଉ ବିଦ୍ୟୁତ୍ ବିଭାଗର ଖାମଖିଆଲ ନୀତି ଯୋଗୁଁ ମରଣ ଯନ୍ତା ପାଲଟିଛି ଚାନ୍ଦବାଲିର ଚରଦିଆ, ବିଜୟନଗର, ଉତୁକୁଡା ପଂଚାୟତ ।

ଅସୁରକ୍ଷିତ ଭାବରେ ଉଚ୍ଚକ୍ଷମତା ସମ୍ପନ୍ନ ୧୧କେଭି ବିଦ୍ୟୁତ୍ ତାର ବିଛାଯାଇଛି । ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଜମି ପତ୍ତନ ଠାରୁ ମାତ୍ର ୪/୫ଫୁଟ ଉଚ୍ଚରେ ଯାଇଛି ବିଦ୍ୟୁତ୍ ତାର । ଖାଲି ଯେ ବିଦ୍ୟୁତ୍ ତାର ଓହଳି ରହିଛି ତାହା ନୁହେଁ ବିଦ୍ୟୁତ୍ ଖୁଂଟର ଅବସ୍ଥା ମଧ୍ୟ ସମାନ । ତାଳ ଗଛ ଭଳି ଶୋଇଯାଇଛନ୍ତି ବିଦ୍ୟୁତ୍ ଖୁଂଟ । ଏହା ସହ ରାସ୍ତା କଡରେ ବସାଯାଇଛି ବିଦ୍ୟୁତ୍ ଟ୍ରାନ୍ସଫରର୍ମର । ତାହା ପୁଣି ଖୋଲା ମେଲା । ଚାଷ ଜମିକୁ ଲାଗିରହିିଥିବା ଏହି ଟ୍ରାନ୍ସଫରର୍ମର ନା ଅଛି ବାଉଁଣ୍ଡରୀ ୱାଲ ନା ଅଛି ତାର ବାଡ଼ । ତେଣୁ ଏଭଳି ଅବସ୍ଥା କାହା ପାଇଁ କେତେବେଳେ ମୃତ୍ୟୁକୁ ଡାକି ଆଣିବ ତାକୁ ନେଇ ଆଶଙ୍କାରେ ଗ୍ରାମବାସୀ ।

୨୦୧୬ ମସିହା ଚାନ୍ଦବାଲି ବ୍ଳକରେ ୮ ଜଣ ଚାଷୀ ଚାଷ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ତାର ଛିଡ଼ି ମୃତ୍ୟୁ ହୋଇଥିଲା । ଏହା ସହ ୫୦ରୁ ଉର୍ଦ୍ଧ୍ୱ ଗାଈ ଗୋରୁଙ୍କ ଜୀବନ ଯାଇଥିଲା । ଚଳିତ ବର୍ଷ ମଧ୍ୟ ୩ଜଣ ଲୋକଙ୍କ ମୃତ୍ୟୁ ବିଦ୍ୟୁତ୍ ତାର ପାଇଁ ହୋଇସାରିଲାଣି । ସେହିଭଳି ଜଣେ ନାବାଳକ ବିଲକୁ ଛେଳି ଚରାଇବାକୁ ଯାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିଲା । ହେଲେ ଏତେ ଘଟଣା ଘଟିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ନିଦ ଭାଙ୍ଗୁ ନାହିଁ । ଏନେଇ ଆମ ପ୍ରତିନିଧି ସ୍ଥାନୀୟ ବିଧାୟକ ଓ ଭଦ୍ରକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେବେ ବିଦ୍ୟୁତ୍ ବିଭାଗ ଗୁରୁତର ସହ ନେବ । ଆଉ ଲୋକଙ୍କୁ ବିପଦମୁକ୍ତ କରିବ ତାହା ଉପରେ ସମସ୍ତଙ୍କ ନଜର ।

ଦେଖନ୍ତୁ ଏହି ଭିଡିଓ –