ଇଣ୍ଡୋନେସିଆରେ ପ୍ରକୃତିର ଭୟଙ୍କର ରୂପ । ଯୁଆଡ଼େ ଚାହିଁଲେ ଭାସୁଛି ଖାଲି କୁଢ଼କୁଢ଼ ଶବ । ସୁନାମି ମାଡ଼ରେ ଚାଲିଗଲା ହଜାର ହଜାର ଲୋକଙ୍କର ଜୀବନ
କନକ ବ୍ୟୁରୋ: ଇଣ୍ଡୋନେସିଆରେ ପ୍ରକୃତିର ଭୟଙ୍କର କରାଳ ରୂପ ସବୁ ଉଜାଡ଼ି ଦେଇଛି। ଭୂକମ୍ପ ପରେ ଆସିଥିବା ଭୟଙ୍କର ସୁନାମି ଯୋଗୁ ମୃତ୍ୟୁ ସଂଖ୍ୟା ରବିବାର ୮୩୨କୁ ବୃଦ୍ଧି ପାଇଛି। ଘରଦ୍ବାର, ଧନଜୀବନ ସବୁ ଛାରଖାର ହୋଇଯାଇଛି। ହଜାର ହଜାର ଲୋକ ଏବେ ବି ନିଖୋଜ ଥିବା ବେଳେ ଅନେକ ଜାଗା ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇ ପାରିନାହିଁ। ଫଳରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସୁନାମି ମାଡ଼ରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ଆକଳନ କରାଯାଇଛି। ସୁନାମି ଯୋଗୁ ଇଣ୍ଡୋନେସିଆର ସୁଲାୱେସି ଦ୍ବୀପ ଅଧୀନ ପାଲୁ ସହର ଏବଂ ଏହାର ଆଖପାଖ ଅଞ୍ଚଳ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଇଣ୍ଡୋନେସିଆ ଉପରାଷ୍ଟ୍ରପତି ଜୁସୁଫ୍ କାଲା ଏକ ବିବୃତିରେ କହିଛନ୍ତି, ସୁନାମିର ଧ୍ବଂସଲୀଳା ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରାଯାଉଛି। ସବୁଠି କୁଢ଼କୁଢ଼ ଶବ ଦେଖିବାକୁ ମିଳିଛି। ଆହୁରି ଅନେକ ଅଞ୍ଚଳ ଏବେ ବି ଯାଞ୍ଚ କରାଯାଇ ନାହିଁ। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ପାଲୁ ସହରରେ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ରିଲିଫ ଶିବିରରେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ମହିଳା ରିଶା କୁସୁମା କୁହନ୍ତି, ପ୍ରତି ମିନିଟରେ ଆମ୍ବୁଲାନ୍ସ ମୃତଦେହ ଆଣି ଆସୁଛି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ହୋଇଛି। ପ୍ରତି ମିନିଟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ମୃତକଙ୍କ ସଂଖ୍ୟା ଦେଢ଼ ହଜାର ଟପିପାରେ ବୋଲି ସେ ଆକଳନ କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ରବିବାର ସୁନାମି ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ତାଙ୍କ ନିର୍ଦ୍ଦେଶକ୍ରମେ ଅଧିକ ବାୟୁସେନା ବିମାନ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିର ଅଣାଯାଉଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ରାଷ୍ଟ୍ରୀୟ ବିପର୍ୟ୍ୟୟ ପ୍ରଶମନ ସଂସ୍ଥା ମୁଖ୍ୟଙ୍କ ମୁତାବକ ସୁନାମି ମାଡ଼ରେ ଘରଦ୍ବାର ଭାଙ୍ଗିଯିବା ପରେ ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଉଛି। ତେବେ ଅଧିକାଂଶ ଲୋକଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଉଛି। ଜୀବିତ ଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଶରୀରର ଅଧିକାଂଶ ହାଡ଼ ଭାଙ୍ଗି ଚୂରମାର ହୋଇଯାଇଛି। ବିଶେଷକରି ୩,୫୦,୦୦୦ ଲୋକ ରହୁଥିବା ପାଲୁ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଦୋଙ୍ଗଲ ସହରରେ ୧୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଲୁ ସହରରେ ୮୨୫ ଲୋକଙ୍କ ମୃତ୍ୟୁ ଘଟିଛି।
ପାଲୁ ସହର ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ଅନେକ ବିଦେଶୀ ଆସିଥିଲେ। ସମୁଦ୍ର ବେଳାଭୂମି ଉତ୍ସବ ଅବସରେର ଅନେକ ପର୍ଯ୍ୟଟକ ଏଠାରେ ଏକତ୍ରିତ ହୋଇଥିଲେ। ଶୁକ୍ରବାର ସୁନାମି ଯୋଗୁ ଅଧିକାଂଶ ବିଦେଶୀ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ମୁସ୍କିଲ୍ ହୋଇପଡ଼ିଛି। ଗତକାଲି ମୃତକଙ୍କ ସଂଖ୍ୟା ୪୦୦ ରହିଥିଲା। ବିପର୍ୟ୍ୟୟ ପ୍ରଶମନ ଏଜେନ୍ସିର ସୂଚନା ମୁତାବକ ପାଲୁ ସହରରେ ଏବେ ବିଜୁଳି ଓ ଟେଲିକମ୍ ସେବା ଠପ୍ େହାଇଯାଇଛି। ସୁନାମି ଯୋଗୁ ବିଜୁଳି ଖୁଣ୍ଟି ଓ ଟେଲିକମ୍ ଟାୱାର ଭୁଶୁଡ଼ି ପଡ଼ିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏଜେନ୍ସିର କହିବାନୁସାେର ସୁନାମିର ଘଣ୍ଟା ପ୍ରତି ବେଗ ୮୦୦ କିଲୋମିଟର ଥିଲା। ତେଣୁ ଏହା ସାମ୍ନାରେ ଯାହା ପଡ଼ିଥିଲା ସବୁ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା।
୨୦୦୪ରେ ଆସିଥିଲା ସବୁଠୁ ଭୟଙ୍କର ସୁନାମି
ଇଣ୍ଡୋନେସିଆ ପାଇଁ ସୁନାମି ନୂଆ ନୁହେଁ। ଅନେକ ଭୟଙ୍କର ସୁନାମିର ସାମ୍ନା କରିଛି ଏହି ରାଷ୍ଟ୍ର। ୨୦୦୪ରେ ସବୁଠୁ ଭୟଙ୍କର ସୁନାମି ଏଠାରେ ସଂଘଟିତ ହୋଇଥିଲା। ସୁମାତ୍ରା ଦ୍ବୀପରେ ଏହା ହୋଇଥିଲା। ସମଗ୍ର ଭାରତ ମହାସାଗର ତଟବର୍ତ୍ତୀ ପାଖାପାଖି ୧୩ଟି ରାଷ୍ଟ୍ର ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଥିଲା। ୧୩ଟି ରାଷ୍ଟ୍ରରେ ମୋଟ ୨,୨୬,୦୦୦ ଲୋକ ପ୍ରାଣ ହରାଇଥିଲେ। ତେବେ ଇଣ୍ଡୋନେସିଆରେ ଏକାକୀ ୧,୨୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୮.୮ ତୀବ୍ରତାର ଭୂକମ୍ପ ଆସିବା ଯୋଗୁ ଏହି ପ୍ରଳୟଙ୍କରୀ ସୁନାମି େହାଇଥିଲା।
ଖାଦ୍ୟାଭାବ ହସ୍ପିଟାଲ୍ ବାହାରେ ଚିକିତ୍ସା
ଇଣ୍ଡୋନେସିଆରେ ସୁନାମି ବିପର୍ଯ୍ୟୟ ଘଟାଇବା ପରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘରଦ୍ବାର ଭାଙ୍ଗିଯାଇଥିବାରୁ ଲୋକମାନେ ନିଜ ପାଇଁ ସଞ୍ଚିତ ରଖିଥିବା ଖାଦ୍ୟ ପଦାର୍ଥ ସବୁ ସୁନାମି ପାଟିରେ ଚାଲିଯାଇଛି। ଏବେ ଲୋକମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି। ଫଳରେ ସ୍ଥାନୀୟ ଦୋକାନବଜାରରେ ପଶି ଖାଦ୍ୟ ପଦାର୍ଥ ଲୁଟପାଟ କରୁଥିବା ଜଣାପଡ଼ିଛି। ପାଲୁର ଜଣେ ବାସିନ୍ଦାଙ୍କ କହିବାନୁସାରେ ଏବେ ସହର ସାରା ଲୋକମାନେ ଲୁଟରେ ମାତିଛନ୍ତି। ଯାହା କିଛି ଖାଦ୍ୟ ଥିଲା ତାହା ସୁନାମି ଢେଉରେ ନଷ୍ଟ ହୋଇଯାଇଛି। ଦୋକାନ ବଜାର ମଧ୍ୟ ଛାରଖାର ହୋଇଯାଇଛି। ତେବେ ପାଲୁର ମିନିମାର୍କେଟ୍ ଭାଙ୍ଗିନଥିବା ବେଳେ ଲୋକମାନେ ଏଠାରେ ପ୍ରବେଶ କରି ଲୁଟପାଟ ଆରମ୍ଭ କରିଦେଇଛନ୍ତି। ଖାଲି ସେତିକି ନୁହେଁ, ଏଠାରେ ଏବେ ପାନୀୟ ଜଳ ମିଳିବା ମୁସ୍କିଲ ହୋଇପଡ଼ିଛି। ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଯାଇଥିବାରୁ ପାନୀୟ ଜଳ ମିଳିପାରୁ ନାହିଁ।
ତେଣୁ ସରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ପାନୀୟ ଜଳ ଓ ଖାଦ୍ୟ ଯୋଗାଇବା ଆବଶ୍ୟକ ବୋଲି େସ କହିଛନ୍ତି। ସୁନାମିର ୨୦ ଫୁଟ୍ ଉଚ୍ଚତାର ଢେଉ ମାଡ଼ରେ ଅଧିକାଂଶ ହସ୍ପିଟାଲ୍ ମଧ୍ୟ ଭୁଶୁଡ଼ି ପଡ଼ିଛି। ଫଳରେ ଲୋକମାନଙ୍କୁ ଡାକ୍ତରଖାନା ପକ୍ଷରୁ ଖୋଲା ଆକାଶ ତଳେ ଚିକିତ୍ସା କରାଯାଉଛି। ପ୍ରତି ମିନିଟରେ ଆମ୍ବୁଲାନ୍ସରେ ଏଠାକୁ ଆହତ ବ୍ୟକ୍ତିଙ୍କୁ ଅଣାଯାଉଛି। ସଂକଟାପନ୍ନ ଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସେବା ନ ମିଳିବାରୁ ସେମାନେ ପ୍ରାଣ ହରାଉଛନ୍ତି। ସେପଟେ ଇଣ୍ଡୋନେସିଆକୁ ସହାୟତାର ହାତ ବଢ଼ାଇବା ପାଇଁ କିଛି ରାଷ୍ଟ୍ର ଆଗେଇ ଆସିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଏ ବାବଦରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଘଟଣା ସଂପର୍କରେ କଥା ହୋଇଛନ୍ତି।