କାୟା ବିସ୍ତାର କରୁଛି ‘କରୋନା’ : ଚୀନରେ ଭାଇରସ ନେଲାଣି ୧୦୬ ଜଣଙ୍କ ଜୀବନ, ଚାରିଆଡ଼େ କୋକୁଆ ଭୟ

410

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଭାଇରସର କୋକୁଆ ଭୟ । ଚୀନରୁ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ ଦିନକୁ ଦିନ ଅନିୟନ୍ତ୍ରିତ ହେଉଛି । ଭୟଙ୍କର କରୋନା ଭାଇରସ୍ ଯୋଗୁଁ ଚୀନ୍ରେ ମୃତ୍ୟୁସଂଖ୍ୟା ୧୦୬ରେ ପହଂଚିଲାଣି । ପ୍ରାୟ ୨୮ ଶହରୁ ଅଧିକ ଲୋକ ଆକ୍ରାନ୍ତ ଥିବାର ଜଣାପଡିଛି । ଗତକାଲି କେବଳ ୧୩ ଶହ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେନ୍ଦ୍ରୀୟ ଚୀନର ହୁବେଇ ଅଂଚଳରେ ରାତିକ ମଧ୍ୟରେ ୨୪ ଜଣଙ୍କର ଜୀବନ ଯାଇଥିବାର ଜଣାପଡିଛି । ହୁବେଇ, ଊହାନର ରାଜଧାନୀ ହୋଇଥିବାବେଳେ ୪୫୦ରୁ ଅଧିକ ଲୋକ ଏବେ ବି ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି । ହୁବେଇ ଛଡା ହେନାନ, ହେବେଇ, ହାଇନାନ, ସାଂଘାଇ ଓ ହେଇଲଂଜୀଆଙ୍ଗ ଅଞ୍ଚଳରେ ମଧ୍ୟ ଏହି ଭାଇରସ ଲୋକଙ୍କ ଜୀବନ ନେଇଛି ।

ଚୀନରେ କରୋନା ଭାଇରସ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସୋମବାର ଦିନ ଜର୍ମାନୀରେ ମଧ୍ୟ ପ୍ରଥମ ଥର ପାଇଁ ଏହି ଭାଇରସ ଦ୍ୱାରା ଜଣେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।

ଏପଟେ ଓଡିଶା ସରକାର ମଧ୍ୟ ପ୍ରତିଷେଧ ମୂଳକ ପଦକ୍ଷେପ ନେଉଛନ୍ତି । କଟକ ବଡ ମେଡିକାଲ, କ୍ୟାପିଟାଲ ହସ୍ପିଟାଲ, ଝାରସୁଗୁଡା ଓ ବୁର୍ଲା ଡାକ୍ତରଖାନାରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି । ପାରାଦ୍ବୀପ ପୋର୍ଟରେ ମଧ୍ୟ ଯାଂଚ ପାଇଁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ଆଜି ରାଜ୍ୟର ସ୍ୱାସ୍ଥ୍ୟ ସଚିବ ରାଜ୍ୟର ସମସ୍ତ ଜିଲ୍ଲାର ସିଡିଏମଓଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ । ରାଜ୍ୟ ସରକାର କରୋନା ଭୂତାଣୁ ଉପରେ ସତର୍କ ନଜର ରଖିଛନ୍ତି ।