ପୁଣି ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ: ୪୦ରୁ ଅଧିକ ମୃତ, ଶତାଧିକ ନିଖୋଜ

ଆଗ୍ନେୟ ଉଦଗିରଣ ପରେ ଉପକୂଳରେ ସୁନାମୀ ଅନୁଭୂତ

683

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଭୟଙ୍କର ସୁନାମୀ । ଆଗ୍ନେୟ ଉଦଗିରଣ ପରେ ଇଣ୍ଡୋନେସିଆ ଉପକୂଳରେ ୪୦ରୁ ଅଧିକଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି । ଶନିବାର ସନ୍ଧ୍ୟାରେ ସୁନାମୀ ଆସିଥିଲା । ରାତିରେ ସୁନାମୀ ଆସିଥିବାରୁ ଲୋକଙ୍କ ଭିତରେ ହାହାକାର ମଚିଯାଇଛି । ଯିଏ ଯେଉଁଠି ଥିଲା ସେହି ସ୍ଥାନରେ ଅଟକି ଯାଇଛନ୍ତି । ରାସ୍ତା ଉପରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

 

ସବୁଆଡେ ଖାଲି ପାଣି ଆଉ ପାଣି । ଜାଭା ଓ ସୁମାତ୍ରା ମଧ୍ୟବର୍ତି ସୁନ୍ଦରା ଅଂଚଳରେ ଏହି ପ୍ରଳୟଙ୍କରି ସୁନାମୀ ଆସିଛି । ପ୍ରାଥମିକ ସୂଚନା ଅନୁଯାୟୀ କ୍ରାକାଟୋଆ ଆଗ୍ନେୟଉଦଗିରଣ ଯୋଗୁଁ ସମୁଦ୍ର ଭିତରେ ଭୁସ୍ଖଳନ ଘଟିବା ପରେ ଏହି ସୁନାମୀ ଆସିଛି । ଇଣ୍ଡୋନେସିଆ ଡିଜାଷ୍ଟର ମିଟିଗେସନ ଏଜେନ୍ସିର କହିବା ଅନୁଯାୟୀ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି ଓ ହଜାର ହଜାର ଘର ଭାଙ୍ଗିଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ସୁଲଭେସୁ ଦୀପରେ ଆସିଥିବା ସୁନାମୀ ଯୋଗୁଁ ୮୩୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ପାଣିପାଗ ବିଭାଗ କହିବା ଅନୁସାରେ ସୁନ୍ଦା ଷ୍ଟ୍ରିଟର ଅନେକ ଅଂଚଳ ସୁନାମୀ ପ୍ରଭାବିତ । ଅଧିକାରୀମାନେ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।