ଯମ ସାଜିଛି ଜାପାନୀ ଜ୍ୱର : ବିହାରରେ ଆଖି ବୁଜିଲେଣି ୬୯ କଅଁଳ ଶିଶୁ

182

କନକ ବ୍ୟୁରୋ : ବିହାରରେ ଜାପାନୀ ଜ୍ୱରର ତାଣ୍ଡବ । ଏନସେଫାଲାଇଟିସରେ ଶିଶୁ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ସୁଦ୍ଧା ଏନସେଫାଲାଇଟିସରେ ୬୯ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ବିହାରର ଶ୍ରୀକ୍ରିଷ୍ଣା ମେଡିକାଲ କଲେଜରେ ୫୮ ଶିଶୁ ଓ କେଜରିୱାଲ ହସପିଟାଲରେ ୧୧ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତକାଲି ସୁଦ୍ଧା ବିହାରରେ ରୋଗରେ ୪୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଏହି ମୃତ୍ୟୁସଂଖ୍ୟା ୬୯ରେ ପହଞ୍ଚିଛି। ଇତି ମଧ୍ୟରେ କେନ୍ଦ୍ର ସରକାର ମୁଜାଫରପୁରକୁ ଏକ ସ୍ବତନ୍ତ୍ର ଟିମ୍ ପଠାଇ ସାରିଛନ୍ତି । ତଥାପି ବି ଆଖିଦୃଶିଆ ପଦକ୍ଷେପ ନିଆଯାଇନି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ, ଏନସେଫାଲାଇଟିସ ଯୋଗୁଁ ଶିଶୁଙ୍କର ମୃତ୍ୟୁ ହେଉନାହିଁ। ଶିଶୁଙ୍କଠାରେ ରକ୍ତ ଶର୍କରା କମ୍ ଥିବାରୁ ଏବଂ ପ୍ରବଳ ଗରମ ହେତୁ ସେମାନଙ୍କର ମୃତ୍ୟୁ ହେଉଛି । ବିହାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହି ସମାନ କଥା କୁହାଯାଇଛି। ଉଲ୍ଲେଖଯୋଗ୍ୟ ପ୍ରତି ବର୍ଷ ଏହି ସମୟରେ ବିହାରରେ ଏନସେଫାଲାଇଟିସ ଯୋଗୁଁ ଅନେକ ଶିଶୁଙ୍କର ପ୍ରାଣହାନୀ ହୋଇଥାଏ। ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ଚମକି ବୁଖାର୍’ ବୋଲି କହନ୍ତି।