ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ପାଇଁ ଅଧ୍ୟାଦେଶ ଆଣିପାରେ କେନ୍ଦ୍ର କ୍ୟାବିନେଟ ! ଶିଶୁ ନିର୍ଯାତନା ଆଇନ ପକ୍ସୋରେ ସଂଶୋଧନ ଆଣିବାକୁ ଚାହୁଁଛନ୍ତି ମୋଦି ସରକାର

37

କନକ ବ୍ୟୁରୋ : ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ । ୧୨ ବର୍ଷରୁ କମ୍ ଶିଶୁକନ୍ୟାଙ୍କ ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରଚଳିତ ପକ୍ସୋ ଆଇନରେ ସଂଶୋଧନ ଅଣାଯିବ । ବର୍ତମାନ ଏହି ଆଇନରେ ସର୍ବନିମ୍ନ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ସର୍ବାଧିକ ଆଜୀବନ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ହେଲେ କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଯେଭଳି ଉଦବେଗ ପ୍ରକାଶ ପାଇଛି, ତାହାକୁ ଦେଖି ଆଇନରେ ସଂଶୋଧନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

ଏଥିପାଇଁ ଆବଶ୍ୟକ ପଡିଲେ ଅଧ୍ୟାଦେଶ ଆଣିବେ ମୋଦି ସରକାର । ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । ଦିଲ୍ଲୀ ନିର୍ଭୟାକାଣ୍ଡ ପରେ ୨୦୧୨ରେ ଅପରାଧ ଆଇନରେ ସଂଶୋଧନ କରି ଧର୍ଷଣକାରୀଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଥିଲା । ଠିକ ସେହିପରି ଶିଶୁ ନିର୍ଯାତନା ଆଇନ ପକ୍ସୋ-୨୦୧୨ରେ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୋର୍ଟଙ୍କୁ ଜଣାଇଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ ପିଏସ ନରସିଂହା । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କ ଏ ସଂପର୍କିତ ଏକ ଚିଠି ମଧ୍ୟ ସେ କୋର୍ଟଙ୍କୁ ପ୍ରଦାନ କରିଥିଲେ ।