କ୍ୟାମେରା ଦେଖିଲା ମୃତ୍ୟୁ : ଆୟୁଷ ମାଗି ମାଗି ଜେନେରାଲ ୱାର୍ଡରେ ପ୍ରାଣ ହରାଇଲା ୬ବର୍ଷର ଶିଶୁ

20

କନକ ବ୍ୟୁରୋ : ଆୟୁଷ ମାଗୁଛି ଆଡମା ମୁଚାକି । ୬ବର୍ଷ ପୂରିବା ପୂର୍ବରୁ ଆଡମା କରୁଛି ଜୀବନର ଶେଷ ସଂଗ୍ରାମ । ତା ଭଳି ୬ଜଣ ପିଲା ଆସିୟୁରେ । ତେଣୁ ତାକୁ ସଂଗ୍ରାମ କରିବାକୁ ପଡୁଛି ଏହି ଜେନେରାଲ୍ ୱାର୍ଡରେ । ପୁଅକୁ ବଂଚାଇ ରଖିବାକୁ ନେହୁରା ହେଉଛନ୍ତି ପରିବାର ଲୋକେ । ହେଲେ ମୃତ୍ୟୁକୁ ଦେଖି ଦେଖି ନିର୍ଲିପ୍ତ ପାଲଟି ଯାଇଥିବା ଡାକ୍ତର ଆସୁଛନ୍ତି ବିଳମ୍ବରେ । ଆଉ ଆଡମାଙ୍କ ପାଇଁ ଏହା ପାଲଟୁଛି ଶେଷ ଚିକିତ୍ସା । ହୁଏତ ଆଇସିୟୁରେ ଭର୍ତ୍ତି ହୋଇଥିଲେ ,ହୁଏତ ଡାକ୍ତର ସମୟରେ ପହଂଚିଥିଲେ ,ଆଉ କିଛି ଦିନ ବଂଚି ଯାଇଥାନ୍ତା ଆଡମା । ଏମିତି ଅଭିଯୋଗ କରିଛନ୍ତି ବାପାମାଆ ।

ମୃତ ଶିଶୁର ବାପାଙ୍କ ଏ ଅଭିଯୋଗ କେବଳ ଏକ ଭାବପ୍ରବଣତା ନୁହେଁ , ବଂର ବାସ୍ତବତା । କାରଣ ମହାମାରୀ ମାରାତ୍ମକ ରୂପ ନେବା ପରେ ବି ଜିଲ୍ଲା ହସ୍ପିଟାଲର ଆଇସିୟୁରେ ରହିଛି ମାତ୍ର ୬ଟି ବେଡ୍ । ଆଜିର ତାରିଖରେ ପ୍ରାୟ ୩୦ ଶିଶୁ ଅଛନ୍ତି ଜାପାନୀ ଜ୍ୱର ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ୱାର୍ଡରେ । ପ୍ରତିଦିନ ରୋଗୀଣା ପିଲା ଆସୁଛନ୍ତି , ଆଉ ମରୁଛନ୍ତି । ହେଲେ ମାତ୍ର ୮ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି ହସ୍ପିଟାଲରେ । ସେମାନେ ବି ରୋଗୀଙ୍କ ପାଖକୁ ଆସୁଛନ୍ତି ନିଜ ଡ୍ୟୁଟି ଟାଇମରେ ।

ସେପଟେ ସାଂଘାତିକ କଥା ସାମ୍ନାକୁ ଆସିଛି । ଗାଁରୁ ସହର ମୁହାଁ ହେଲାଣି ମାରାତ୍ମକ ଭୂତାଣୁ । ଆଜି ପ୍ରାଣ ହରାଇଥିବା ଦୁଇଜଣ ଶିଶୁଙ୍କ ମଧ୍ୟରୁ ଜଣେ ମାଲକାନଗିରି ସହରର । ସେପଟେ ସ୍କୁଲ୍ ହଷ୍ଟେଲର ପିଲା ବି ଥରିଲେଣି ଜାପାନୀ ଜ୍ୱରରେ । କାରଣ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଥିବା ୨୬ ପିଲାଙ୍କ ମଧ୍ୟରୁ ୨ଜଣ ସହରରେ ଥିବା ଏକ ହଷ୍ଟେଲର ବୋଲି ଜଣା ପଡିଛି । ଏହି ତଥ୍ୟ ହିଁ କହୁଛି ମହାମାରୀର ବ୍ୟାପକତା ।

ଏହାସହ ଦେଖନ୍ତୁ ଏହି ଭିଡିଓ –