ସାଇକେଲରେ ଶବ ବୁହା ଘଟଣାରେ ଜୋର ଧରିଲା ରାଜନୀତି : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

42

କନକ ବ୍ୟୁରୋ : ବୌଦ୍ଧରେ ସାଇକେଲରେ ଶବ ବୁହାଯିବା ଘଟଣା ନେଇ କନକ ନ୍ୟୁଜରେ ପ୍ରସାରଣ ପରେ ଜୋର ଧରିଛି ରାଜନୀତି । ଆଜି ରାଜ୍ୟ ସରକାରଂକ ଉପରେ ବର୍ଷିଛି ବିଜେପି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଏହା ପ୍ରଥମ ଘଟଣା ନୁହେଁ । ଏମିତି ଖବର ସାରା ଓଡ଼ିଶାରେ ଦେଖିବାକୁ ମିଳୁଛି । ଏଭଳି ଘଟଣା ପାଇଁ ରାଜ୍ୟ ଦେଶ ବିଦେଶରେ ଲଜ୍ଜିତ ହେଉଛି, ହେଲେ ରାଜ୍ୟ ସରକାର ଚେଇଁ ଶୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହାସହ ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର କେବଳ ଗଣମାଧ୍ୟମରେ ବିଜ୍ଞାପନ ଦେଉଛନ୍ତି ଆମ ଗାଁ ଆମ ବିକାଶ, ହେଲେ ଲୋକଙ୍କ ପାଖରେ ପହଂଚିପାରୁ ନାହାନ୍ତି । କେବଳ ହୋର୍ଡିଂ ମାଧ୍ୟମରେ ପ୍ରଚାର ସର୍ବସ୍ୱ ସାଜିଛନ୍ତି ରାଜ୍ୟ ସରକାର । ଲୋକ ୧୮ ବର୍ଷ ହେଲା ବୁଝି ସାରିଛନ୍ତି ଓ ଠିକଣା ସମୟରେ ଜବାବ ଦେବେ ବୋଲି ବସନ୍ତ ପଣ୍ଡା କହିଛନ୍ତି । ସେପଟେ ବସନ୍ତଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛି ବିଜେଡି ।

ଘଟଣା ଅନୁଯାୟୀ, କୃଷ୍ଣପାଲିର ପାଂଚ ମହାକୁଡ ଦୁଇ ଦିନ ହେବ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ପରେ ସତ୍କାର ପାଇଁ ଶ୍ମଶାନକୁ ନେବା ପାଇଁ କାନ୍ଧ ମିଳିନଥିଲା । ତେଣୁ ମୃତ ମହିଳାଙ୍କ ଭିଣୋଇ ଶବକୁ ସାଇକେଲରେ ବୋଲି ଶ୍ମଶାନକୁ ନେଇଥିଲେ ।