ବଲାଙ୍ଗିରରେ ଅଭାବନୀୟ ଦୃଶ୍ୟ : ଜନଗହଳିପୂର୍ଣ୍ଣ ରାସ୍ତାରେ ରିକ୍ସାରେ ମଶାଣିକୁ ବୁହାହେଲା ଶବ

46

ବଲାଙ୍ଗିର : ବଲାଙ୍ଗିର ସହରରେ ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାକୁ ଦେଖିଲେ ହୃଦୟ ବିଚଳିତ ହୋଇ ପଡିବ । ସହରର ଜନଗହଳି ପୂର୍ଣ୍ଣ ରାସ୍ତାରେ ଅତି ଅମାନବୀୟ ଭାବେ ଶବକୁ ପରିବାର ଲୋକ ରିକ୍କାରେ ବୋହି ନେଇଛନ୍ତି । ଶବକୁ ବି ସମ୍ମାନ ମିଳିଲା ନାହିଁ । ଏହାକୁ ଦେଖି ଲୋକମାନେ ହତଚକିତ ହୋଇ ଯାଇଥିଲେ । ବଲାଙ୍ଗିର ଡାକ୍ତରଖାନା ଶବ ବ୍ୟବଚ୍ଛେଦ ଗୃହ ନିକଟରୁ ବଲାଙ୍ଗିର ହାଟପଦାପଡା ଠାରେ ଥିବା ମଶାଣିକୁ ଶବ ଶସ୍କାର ପାଇଁ ନିଆଯାଉଥିଲା । ବଲାଙ୍ଗିର ସହରର ଜୁନାଡିହ ପଡାର ୩୫ ବର୍ଷୀୟ ଗଣେଶ ମାଝୀ ପାରିବାରିକ କଳହ ଯୋଗୁଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଜି ସକାଳୁ ପରିବାର ଲୋକ ଖୋଜାଖୋଜି କରିବା ପରେ ଟ୍ରେନ ଲାଇନ କଡରେ ଗଣେଶଙ୍କ ମୃତଦେହ ପଡିଥିଲା । ଏନେଇ ବଲାଙ୍ଗିର ଜିଆରପି ତଦନ୍ତ ଆରମ୍ଭ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଡାକ୍ତରଖାନାରେ ଦାୟିତ୍ୱରେ ଥିବା ଡାକ୍ତର ବ୍ୟବଚ୍ଛେଦ କରିବାକୁ ମନା କରିଦେବାରୁ ମୃତଦେହ ବହୁ ସମୟ ଧରି ବାହାରେ ପଡି ରହିଥିଲା । ଶେଷରେ ବାଧ୍ୟ ହେଇ ଗଣେଣଙ୍କ ସଂପର୍କୀୟମାନେ ଏକ ରିକ୍କା ଭଡା କରି ମଶାଣିକୁ ଶବଦାହ କରିବାକୁ ନେଇଥିଲେ । ଏହି ଦୃଶ୍ୟ ଦେଖି ବିଚଳିତ ହୋଇ ପଡିଥିଲେ ଦେଖଣାହାରି ।

ଆର୍ଥିକ ଅନଟନ ଯୋଗୁଁ ରିକ୍କାରେ ମୃତଦେହ ଦାହ ପାଇଁ ନେଉଥିଲୁ ବୋଲି କହିଛନ୍ତି ଗଣେଶଙ୍କ ପରିବାର ।ରାଜ୍ୟ ସରକାରଙ୍କ ହରିଚନ୍ଦ୍ର ଯୋଜନା ଭଲି ବହୁ ଗୁଡାଏ ଯୋଜନା ଗରିବ ଲୋକଙ୍କ ପାଇଁ ରହିଛି । ତେବେ ଜଣେ ଗରିବ ଲୋକ ମଲା ପରେ କି ସମ୍ମାନ ପାଉଛି ତାହାର ନଜିର ବଲାଙ୍ଗିର ସହରରେ ଦେଖାଦେଇଛି । ଗଣେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଟ୍ରେନ ଲାଇନ କଡକୁ ଫୋପାଡି ଦେଇଛି ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ ।