ବିଜେପୁର ଉପନିର୍ବାଚନ ପେଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକଙ୍କ ମୃତଦେହ ଉଦ୍ଧାର, ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପୁଲିସର ପଚରାଉଚରା

1,124

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପେଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣିସେନ ମହଲାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୧୨ ତାରିଖରୁ ସେ ନିଖୋଜ ଥିଲେ । ବିଜେପୁର ଡମ୍ପିୟାର୍ଡ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହା ତରନିସେନଙ୍କ ବୋଲି ଚିହ୍ନଟ ହୋଇଛି । ବ୍ଲକ ସଂଯୋଜକ ତରଣିସେନ ହେଉଛନ୍ତି ଗାଇସିଲଟ ବ୍ଲକ ନୂଆପାଲି ଗାଁର । ଗାଇସିଲଟ ବ୍ଲକରେ ଏନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ବିଜେପୁର ଓ ଗାଇସିଲଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି ।

ଅନ୍ୟପଟେ ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଣ୍ଡ ଗଡ଼ିବା ଘଟଣା ଏବେ ସାଧାରଣରେ ହଟଚମଟ ସୃଷ୍ଟି କରିଛି । ତେବେ ତରଣିସେନଙ୍କୁ ମୃତ୍ୟୁ କେମିତି ହେଲା ଏବଂ ତାଙ୍କୁ କିଏ ଓ କାହିଁକି ଡମ୍ପିୟାର୍ଡରେ ଫୋପାଡ଼ି ଦେଲା ତାହାର ଖୋଳତାଡ଼ ଆରମ୍ଭ କରିଛି ବିଜେପୁର ଓ ଗାଇସିଲଟ ପୁଲିସ୍ । ସବୁଠାରୁ ବଡ଼କଥା ହେଲା, ଆଉ ୫ ଦିନ ପରେ ହେବାକୁଥିବା ବିଜେପୁର ଉପ-ନିର୍ବାଚନ ପୂର୍ବରୁ ଜଣେ ବ୍ଲକ ସଂଯୋଜକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରାଜନୀତି ପାରଦକୁ ଉଷ୍ମ କରିଛି ।