ବର୍ଷକ ମଧ୍ୟରେ ଯାଇଛି ୨୦୧ଜଣ ନକ୍ସଲଙ୍କର ଜୀବନ ! ନିଜ କ୍ୟାଡରମାନଙ୍କ ମୃତ୍ୟୁର ହିସାବ ଦେଲା ନକ୍ସଲବାହିନୀ ।

31

ଗତମାସ ୨୮ତାରିଖରୁ ଆରମ୍ଭ ହୋଇଥିଲା ନକ୍ସଲଙ୍କ ସହିଦ ସପ୍ତାହ । ସପ୍ତାହେ ଧରି ମାଲକାନଗିରି ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ବିଭିନ୍ନ ଗ୍ରାମରେ ନିହତ ନକ୍ସଲଙ୍କୁ ମନେ ପକାଇଥିଲେ । ତେବେ, ନକ୍ସଲଙ୍କ ଗୋଟିଏ ପୋଷ୍ଟର ସମସ୍ତଙ୍କୁ ଚକିତ କରିଛି । ଏହି ପୋଷ୍ଟରରେ ସଂଗଠନ ନିଜ କ୍ୟାଡରମାନଙ୍କ ମୃତ୍ୟୁର ହିସାବ ଦେଇଛି ।

ହିସାବ ଅନୁଯାୟୀ, ୨୦୧୭ ମସିହା ଅଗଷ୍ଟ ୧ ତାରିଖ ଠାରୁ ଚଳିତବର୍ଷ ଜୁଲାଇ ୩୧ ତାରିଖ ମଧ୍ୟରେ ୨୦୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସେଥିରେ ଉଲ୍ଲେଖ ହୋଇଛି । ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମଧ୍ୟରେ ୬ଜଣ ଡିବିସି ସଦସ୍ୟ,୨ ଜଣ ସବ ଜୋନାଲ କମିଟି ସଦସ୍ୟ,୨୬ ପିପିସି ସଦସ୍ୟ, ୯୭ ଜଣ ପିଏଲଜିଏ ସଦସ୍ୟ, ୩ ଜଣ ଜିପିସି ସଦସ୍ୟ, ବିଭିନ୍ନ ଆରପିସିରୁ ୩ ଜଣ ନକ୍ସଲ, ୧୬ଜଣ ଜନ ସଂଗଠନ ନେତା, ୧୬ ମିଲିସିଆ କମାଣ୍ଡର ମୃତ୍ୟୁବରଣ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଦଣ୍ଡକାରଣ୍ୟରେ ୧୪୩ ଜଣ ନକ୍ସଲ, ବିହାର ଓ ଝାଡ଼ଖଣ୍ଡରେ ୧୭ ଜଣ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୭ ଜଣ, ଓଡ଼ିଶାରେ ୧୨ ଜଣ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗଳାରେ ମୋଟ ୫ ଜଣ ନକ୍ସଲ, ତେଲେଙ୍ଗାନାରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କୁହାଯାଇଛି । ଯେଉଁଥିରେ ୭୯ଜଣ କ୍ୟାଡର ମହିଳା ନକ୍ସଲ ମୃତ୍ୟୁବରଣ କରିବା ସ୍ୱୀକାର କରାଯାଇଛି ।