ରାସ୍ତାରେ କଟାମୁଣ୍ଡ । ଘଟଣାସ୍ଥଳରେ ପୋଲିସ ପହଚିଂ ଆରମ୍ଭ କଲା ତଦନ୍ତ

ଯୁବକଙ୍କର କଟାମୁଣ୍ଡ ଓ ଗଣ୍ଡି ଜବତ କରାଯାଇଛି

217

କନକ ବ୍ୟୁରୋ : ଡେଲାଙ୍ଗ-ପିପିଲି ରାସ୍ତା ତରବୋଇ ଛକଠାରେ ଜଣେ ଯୁବକଙ୍କର କଟାମୁଣ୍ଡ ଓ ଗଣ୍ଡି ଜବତ କରାଯାଇଛି। ତାଙ୍କୁ କେହି ହତ୍ୟା କରି ରାସ୍ତାକଡ଼ରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ପରିଚୟ ମିଳିନଥିବା ଏହି ଯୁବକଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ। ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ-ପିପିଲି ରାସ୍ତାର ତରବୋଇ ଛକଠାରେ ଗତକାଲି ସନ୍ଧ୍ୟାରେ ଏକ ନୂଆ ସିଏନଜି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଅଟୋ ପାଖକୁ ଯିବା ସମୟରେ ରାସ୍ତା କଡ଼ରେ ଜଣେ ଯୁବକଙ୍କ କଟା ମୁଣ୍ଡ ଏବଂ କିଛି ଦୂରରେ ମୁଣ୍ଡବିହୀନ ଗଣ୍ଡି ପଡ଼ିଥିବା ଦେଖିବାକୁ ପାଇଥିଲେ। ଲୋକଙ୍କଠାରୁ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

 

ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ସମୟରେ ଆଉ ଏକ ଅଟୋରେ କିଛି ଯୁବକ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିବାରୁ ସେହି ଅଟୋରେ ଯୁବକଙ୍କ ହତ୍ୟାକାରୀ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ମୃତ ଯୁବକଙ୍କର ପରିଚୟ ମିଳି ନଥିଲେ ମଧ୍ୟ ସେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଘଟଣା ଡେଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ତେବେ କେଉଁଠାରୁ ସେହି କଟାମୁଣ୍ଡ ଆସିଲା, କେତେ ଦିନ ପୂର୍ବରୁ ସେହି ସ୍ଥାନରେ ତାହା ପଡିରହିଥିଲା ତାହା ସମ୍ପର୍କରେ ଜଣାପଡିନାହିଁ । ଖବର ପ୍ରଚାରିତ ହେବା ପରେ କଙ୍କାମୁଣ୍ଡକୁ ଦେଖିବା ପାଇଁ ସ୍ଥାନୀୟ ଅଚଂଳରେ ଗହଳି ହୋଇଥିଲା ।