ସନ୍ଦେହଜନକ ଭାବେ କୂଅରୁ ମିଳିଲା ୨ ଭଉଣୀଙ୍କ ମୃତଦେହ : ପରିବାର କହିଲେ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ

41

କନକ ବ୍ୟୁରୋ : ଅତି ଆଶ୍ଚର୍ଯ୍ୟଜନକ ଭାବେ ଆଜି ସକାଳୁ ସଂପର୍କୀୟମାନେ ୨ ବଢିଲା ଝିଅଙ୍କ ମୃତଦେହ ଘର ପାଖ କୂଅରେ ଦେଖି ହତବାକ୍ ହୋଇପଡିଥିଲେ । ଗତକାଲି ରାତିରେ ସବୁକିଛି ଠିକଠାକ୍ ଥିବା ବେଳେ ୨ ଝିଅଙ୍କ ମୃତଦେହ କିଭଳି ଓ କାହିଁକି କୂଅରୁ ମିଳିଲା ତାକୁ ନେଇ ସନ୍ଦେହ ଉପୁଜିଛି । ଗଜପତି ଜିଲ୍ଲା ଆର ଉଦୟଗିରି ଅଂଚଳର ଛେଲିଗଡ ଗାଁରେ ଏଭଳି ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ୨ ଭଉଣୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ପ୍ରମୋଦ ଆଚାର୍ଯ୍ୟଙ୍କ ୫ ଝିଅ । ବଡ ଝିଅକୁ ବିବାହ ଦେଇଥିବା ବେଳେ ଅନ୍ୟଏକ ଝିଅର ବିବାହ ପ୍ରସ୍ତାବ ଆସିଥିଲା । ଆଉ ଏତିକି ବେଳେ ସନ୍ଦେହଜନକ ଭାବେ ଅନ୍ୟ ଦୁଇ ଝିଅ ୨୨ ବର୍ଷୀୟ କିରଣ ଆଚାର୍ଯ୍ୟ ଓ ୧୭ ବର୍ଷୀୟ ସୃୟା ଆଚାର୍ଯ୍ୟଙ୍କ ମୃତଦେହ ମିଳିବା ପୁରା ଘଟଣାକୁ ବିବାଦୀୟ କରିଦେଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ୍ ଆରମ୍ଭ କରିଛି ।