ବୁମରାହଙ୍କ ଜେଜେବାପାଙ୍କ ରହସ୍ୟଜନକ ମୃତ୍ୟୁ ! ନାତିକୁ ଭେଟିବାକୁ ଆସି ନିଖୋଜ ହୋଇଥିଲେ, ନଦୀରୁ ଉଦ୍ଧାର ହେଲା ମୃତଦେହ

64

ଗୋଟିଏ ପଟେ ଶ୍ରୀଲଙ୍କା ବିପକ୍ଷରେ ନାତି ଖେଳୁଥିଲେ ମ୍ୟାଚ ଅନ୍ୟପଟେ ଜୀବନ ସହ ଳଢେଇ କରି ହାରି ଯାଇଥିଲେ ଜେଜେବାପା । ଭାରତର କ୍ରିକେଟ ଟିମର ଯୁବ ତଥା ଷ୍ଟାର ବୋଲର ଯଶପ୍ରୀତ ବୁମରାହଙ୍କ ଜେଜେବାପାଙ୍କ ମୃତଦେହ ଅହମ୍ମଦାବାଦରୁ ଉଦ୍ଧାର କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ସାବରବତୀ ନଦୀର ଗାନ୍ଧି ବ୍ରିଜ ଓ ଦଧିଚୀ ବ୍ରିଜ ତଳୁ ବୃଦ୍ଧ ସନ୍ତୋଷ ସିଂହ ବୁମରାହଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର କାରଣ ଜଣା ପଡିନାହିଁ ବୋଲି କହିଛି ପୋଲିସ । ଗତ ୮ ତାରିଖରେ ସନ୍ତୋଖ ସିଂହ ନିଖୋଜ ହେବା ପରେ ଏନେଇ ପରିବାର ପକ୍ଷରୁ ଥାନାରେ ଏତାଲା ଦାୟର କରାଯାଇଥିଲା । ଏହାପରେ ପୋଲିସ ସନ୍ତୋଖଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

downloadସନ୍ତୋଖ ସିଂହଙ୍କ ଝିଅ ତଥା ବୁମରାହଙ୍କ ପିଉସୀ ରବିନ୍ଦର କୌରଙ୍କ କହିବା ଅନୁଯାୟୀ, ୮୪ ବର୍ଷିୟ ବୃଦ୍ଧ ଜେଜେବାପା ସନ୍ତୋଖ ତାଙ୍କ ନାତି ବୁମରାହଙ୍କୁ ଦେଖା କରିବାକୁ ଉତ୍ତରାଖଣ୍ଡରୁ ଅହମ୍ମଦାବାଦ ଆସିଥିଲେ । କିନ୍ତୁ ବୁମରାହଙ୍କ ମା’ ତାଙ୍କୁ ସେ ସୁଯୋଗ ଦେଇନଥିଲେ । କାରଣ ଦୀର୍ଘବର୍ଷ ଧରି ଯଶପ୍ରୀତଙ୍କ ମା’ ଓ ସନ୍ତୋଖ ସିଂହଙ୍କ ଭିତରେ କୌଣସି କାରଣବଶତଃ ଝଗଡା ହୋଇଥିଲା । ଯାହା ପାଇଁ ବୁମରାହଙ୍କୁ ସନ୍ତୋଖ ଓ ପୂରା ପରିବାର ଠାରୁ ଦୂରେଇ ରଖୁଥିଲେ ତାଙ୍କ ମା’ । ବୁମରାହ ନିଜ ମା ଓ ପରିବାର ସହ ଅହମ୍ମଦାବାଦରେ ରହନ୍ତି । ୭ ବର୍ଷ ବୟସରେ ପିତାଙ୍କ ନିଧନ ପରେ ମା’ଙ୍କ ସହ ଅହମ୍ମଦାବାଦରେ ବାସ କରୁଥିଲେ ବୁମରାହ ।

ତେବେ ସବୁ ରାଗ ଅଭିମାନ ଭୁଲି ପରିଣତ ବୟସରେ ସନ୍ତୋଖ ନିଜ ନାତିକୁ ଦେଖା କରିବାକୁ ଅହମ୍ମଦାବାଦ ଆସିଥିଲେ । ପିଉସୀଙ୍କ କହିବା ଅନୁଯାୟୀ, ଯଶପ୍ରୀତଙ୍କ ମା’ ଦେଖା କରିବାକୁ ସିଧାସଳଖ ମନା କରିଦେଇଥିଲେ । ଏପରିକି ବୁମରାହଙ୍କ ସହ ଯେପରି ପରିବାରର କୌଣସି ବ୍ୟକ୍ତି ଯୋଗାଯୋଗ କରି ନ ପାରିବେ ସେଥିପାଇଁ ଫୋନ ନମ୍ବର ଦେବାକୁ ମଧ୍ୟ ମନା କରି ଦେଇଥିଲେ ।

ଏହାପରେ ଗତ ୮ ତାରିଖରୁ ନିଖୋଜ ହୋଇଥିଲେ ସନ୍ତୋଖ ସିଂ ବୁମରାହ । ଆଉ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁ ସମୟରେ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ସେତେବେଳେ ଧର୍ମଶାଳାରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳୁଥିଲେ ବୁମରାହ ।