ଡାକ୍ତରଖାନା ପାଇଖାନାରୁ ମିଳିଲା ନବଜାତ ଶିଶୁ ପୁତ୍ରର ମୃତଦେହ । କିଏ ଏବଂ କାହିଁକି ଭିଆଇଲା ଏଭଳି କାଣ୍ଡ, ଚାଲିଛି ତଦନ୍ତ ।

164

କନକ ବ୍ୟୁରୋ : ଶୌଚାଳୟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ରର ମୃତଦେହ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲ ପାଇଖାନାରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ବେଳେ ନବଜାତକ ଶିଶୁପୁତ୍ର କାହାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁର ମୃତଦେହକୁ ଡାକ୍ତରଖାନା ଶୌଚାଳୟରେ ରଖିଲା, ଏନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।

ସେପଟେ ଏ ସମ୍ପର୍କରେ ବିଦ୍ଧିବଦ୍ଧ ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁ ପୁତ୍ରଟି କାହାର ଏବଂ କେଉଁ ପରିସ୍ଥିତିରେ ଶିଶୁକୁ ଡାକ୍ତରଖାନା ଶୌଚାଳୟରେ ରଖିଲା, ତାର ତଦନ୍ତ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେ କହିଛନ୍ତି, ଏମିତି ବହୁତ କଥା ଆସିବ । ତେବେ ଘଠଣାର ତଦନ୍ତ ହେବ । ଆଇନ ଅନୁସାରେ, ଯିଏ ଦୋଷୀ ସିଏ ଦଣ୍ଡିତ ହେବେ ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଗତକାଲି ରାତିରେ ଘଟିଥିବା ଅନୁମାନ କରାଯାଉଛି । ତେବେ ଆଜି ସକାଳୁ ଜଣେ ମହିଳା ଶୌଚାଳୟରେ ଶିଶୁପୁତ୍ରକୁ ଦେଖିବା ପରେ ହସ୍ପିଟାଲର ଜଣେ ଝାଡୁଦାରଙ୍କୁ ଖବର କରିଥିଲେ । ଆଉ ପରେ ଘଟଣା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିବା ପରେ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏବଂ ଆଜି ଦିନ ୨ଟାରେ ଶିଶୁଟିର ପୋଷ୍ଟମର୍ଟମ କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କେମିତି ଶିଶୁର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇଯିବ । ତେବେ ପୋଲିସର ଏକ ଟିମ୍ ଏବଂ ହସ୍ପିଟାଲରେ ପ୍ରଶାସନର ଏକ ଟିମ୍ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଚଳାଇଛନ୍ତି ।