ରାଜ୍ୟରେ ଖୋଲିବ ୮ ନିଶା ନିବାରଣ କେନ୍ଦ୍ର ! କ୍ୟାପିଟାଲ ହସ୍ପିଟାଲରେ ୨ମାସ ମଧ୍ୟରେ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ

63

କନକ ବ୍ୟୁରୋ: ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲରେ ନିଶା ନିବାରଣ କେନ୍ଦ୍ର ଆସନ୍ତା ୨ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ଦେଇଛନ୍ତି । ତେବେ ବାସ୍ତବ ସ୍ଥିତି ହେଉଛି ଆସନ୍ତା କିଛିମାସ ମଧ୍ୟରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ ରାଜ୍ୟରେ ହେବାକୁ ଥିବା ୮ଟି ନିଶା ନିବାରଣ କେନ୍ଦ୍ରର ଅବସ୍ଥା ମଧ୍ୟ ସେୟା ।

ଏ ପର୍ଯ୍ୟନ୍ତ କେବଳ ୨/୩ଟି ସ୍ଥାନରେ ଜାଗା ଚିହ୍ନଟ ହୋଇଛି । ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଓ ବିଲ୍ଡିଂ ପ୍ଲାନିଂ ମଧ୍ୟ ହୋଇନାହିଁ । ଏହା ସହ କେନ୍ଦ୍ର ପାଇଁ ଆବଶ୍ୟକ ହେଉଥିବା ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ । ସମସ୍ତ କାର୍ଯ୍ୟ ଶେଷ ହେବା ପରେ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ଅତିକମରେ ୫/୬ ମାସ ସମୟ ଲାଗିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଆଶାପ୍ରକଟ କରୁଛନ୍ତି ।

ଗତ ୭ତାରିଖରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କ୍ୟାପିଟାଲ ହସ୍ପିଟାଲରେ ଏକ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ଯାଉଥିବା କହିଥିଲେ । ଏଥିପାଇଁ ସ୍ଥାନ ନିର୍ଧାରିତ ହୋଇସାରିଛି । ଆର୍ଥିକ ଅନୁଦାନ ପାଇଁ ଏକ ଯୁଗ୍ମ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ଦୁଇମାସ ମଧ୍ୟରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ଅଧୀନରେ ଥିବା ଶିଶୁଭବନ ପ୍ରଥମେ ଏହି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବିଭିନ୍ନ କାରଣରୁ ସେଠାରେ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ପରେ ସଂକ୍ରାମକ ରୋଗ ବା ଆଇଡି ଓ୍ଵାର୍ଡ ନିକଟରେ ଏହି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ହସ୍ପିଟାଲରେ ନିଶାଡ଼ିମାନଙ୍କ ଚିକିତ୍ସା କରାଯାଉଛି । ପୂର୍ବରୁ ହସ୍ପିଟାଲରେ ଯେଉଁ ମନସ୍ତତ୍ତ୍ୱବିତ୍ ରହିଛନ୍ତି ସେ ହିଁ ଏବେ କାମ ଚଳାଉଛନ୍ତି । ହସ୍ପିଟାଲରେ ଲାପୋରେସ୍କୋପି ବିଭାଗରେ ଏଥିପାଇଁ ୧୦ଟି ବେଡ୍ ସଂରକ୍ଷିତ ରଖାଯାଇଛି । ଏଠାରେ କେବଳ ରୋଗୀମାନଙ୍କୁ କାଉନସେଲିଂ କରାଯାଉଛି । ତେବେ ଏ ପର୍ଯ୍ୟନ୍ତ କୌଣସି ରୋଗୀ ଭର୍ତ୍ତି ହୋଇନାହାନ୍ତି ।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୯ଟି ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । କ୍ୟାପିଟାଲ ହସ୍ପିଟାଲକୁ ବାଦ୍ ଦେଲେ ୩ଟି ମେଡିକାଲ କଲେଜ, ଅନୁଗୁଳ, ପୁରୀ, ବଲାଙ୍ଗୀର, ଆରଜିଏଚ୍ ରାଉରକେଲା ଓ ମୟୂରଭଞ୍ଜ ଜିଲ୍ଲାରେ ଏହ କେନ୍ଦ୍ର ଖୋଲାଯିବ । ଏ ପର୍ଯ୍ୟନ୍ତ ୨/୩ଟି ସ୍ଥାନରେ ଜାଗା ଚିହ୍ନଟ କରିଥିବା ସୂଚନା ମିଳିଛି । ତେବେ ନିଶାଡ଼ିମାନଙ୍କୁ ହସ୍ପିଟାଲ ଭିତରେ ଚିକିତ୍ସା କରିବା ଠିକ୍ ନ ଥିବାରୁ ହସ୍ପିଟାଲର ନିକଟବର୍ତ୍ତୀ ଅଞ୍ଚଳରେ ଏହି କେନ୍ଦ୍ର ନିର୍ମାଣ ପାଇଁ ଯୋଜନା କରାଯାଉଛି । କେତେକ ହସ୍ପିଟାଲରେ ଯୁଗ୍ମ ଆକାଉଣ୍ଟ ଖୋଲା ଯାଇଛି । ମାନସିକ ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଏବେ ଯୋଗାଇ ଦିଆଯାଉଛି । ମେଡିକାଲ କଲେଜରେ ହେବାକୁ ଥିବା ନିଶା ନିବାରଣ କେନ୍ଦ୍ରରେ ୩୦ଟି ବେଡ୍ ରହିଥିବା ବେଳେ ଅନ୍ୟ ହସ୍ପିଟାଲରେ ୧୦ଟି ବେଡ୍ ସଂରକ୍ଷିତ ରହିବ । ତେବେ ବିଲ୍ଡିଂ ନିର୍ମାଣର ପ୍ଲାନିଂ ପାଇଁ ମୁଖ୍ୟ ଯନ୍ତ୍ରୀ(ବିଲ୍ଡିଂ)ଙ୍କୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଅଧିକାରୀଙ୍କ କହିବାନୁଯାୟୀ, ନିଶା ନିବାରଣ କେନ୍ଦ୍ରରେ ଓପିଏସସି ଜରିଆରେ ଡାକ୍ତରଙ୍କୁ ନିଯୁକ୍ତ ଦିଆଯିବ । ନିକଟରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତରଙ୍କ ପଦବିର ହୋଇଥିବା ପୁନର୍ଗଠନ ଏ ଦିଗରେ ସହାୟକ ହେବ । ଏହାସହ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦେବାର ମଧ୍ୟ ବ୍ୟବସ୍ଥଶ କରାଯିବ। ଯେହେତୁ ଏ ପର୍ଯ୍ୟନ୍ତ ସବୁ ସ୍ଥାନରେ ଜାଗା ଚିହ୍ନଟ ହୋଇନାହିଁ ସେ ଦୃଷ୍ଟିରୁ ଏସବୁ କେନ୍ଦ୍ରର ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ ତାହା ସ୍ଥିର ହୋଇନାହିଁ । ସମସ୍ତ ଜାଗାର ଚିହ୍ନଟ ହେବା ପରେ ବ୍ୟୟ ଅଟକଳ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।