ଏଥର ପ୍ରବଳ ଖରା ! ଡହ ଡହ ଖରାରେ ସିଝିବ ଓଡ଼ିଶା, ବେଲୁନ କହିବ ବାୟୁମଣ୍ଡଳର ତାପମାତ୍ରା

49

କନକ ବ୍ୟୁରୋ : ଫେବୃଆରୀରେ ତାତି ୩୬ ଡିଗ୍ରୀ ଛୁଇଁଲାଣି । ଆଗକୁ ଆହୁରି ବଢିବ ଗରମ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନରେ ପବନର ବେଗ କମ୍ ରହୁଥିବାରୁ ଏବଂ ଜଳୀୟବାଷ୍ପ କମିବାରୁ ଅଧିକ ଗରମ ଅନୁଭୂତ ହେଉଛି । ଏପଟେ ବାୟୁମଣ୍ଡଳରେ ହେଉଥିବା ପରିବର୍ତନର ଟିକିନିଖି ସୂଚନା ପାଇଁ ଆଜିଠୁ ଆରମ୍ଭ ହୋଇଛି ନୂଆ ପଦ୍ଧତି ।

ବସନ୍ତରେ ଗ୍ରୀଷ୍ଣ ଋତୁର ତାତି । ଡହ ଡହ ଖରା । ଧିରେ ଧିରେ ଅସହ୍ୟ ହେଲାଣି ଗରମ । ଫେବୃଆରୀରେ ପାରଦ ୩୫ ପାର କଲାଣି । ପାଣିପାଗ ବିଭାଗ ଆକଳନ କରିଛି ଆଗକୁ ଆହୁରି ବଢିବ ତାତି । ଏପରିକି ତାପମାତ୍ରା ୩୭ ଡିଗ୍ରୀ ଡେଇଁବା ସମ୍ଭାବନା ରହିଛି । ଦିନରେ ପବନର ବେଗ କମ୍ ରହୁଥିବାରୁ ବଢୁଛି ତାତି । ଏଥିସହ ଦିନରେ ଜଳୀୟବାଷ୍ପ କମିବାରୁ ଏବଂ ସୂର୍ଯ୍ୟକିରଣ ପ୍ରଖର ହେବାରୁ ଅଧିକ ଗରମ ଅନୁଭୂତ ହେଉଛି । ଏହି ତାପମାତ୍ରା ଆଗାମୀ ମାର୍ଚ୍ଚ ମାସ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାରି ଭିତରେ ବାୟୁମଣ୍ଡଳର ସ୍ଥିତି ଜାଣିବାକୁ ଆରମ୍ଭ ହୋଇଛି ନୂଆ ପଦ୍ଧତି । ଉଦଜାନ ବେଲୁନରେ କୋରିଆ ମେସିନ୍ ଲଗାଯାଇ ବାୟୁମଣ୍ଡଳକୁ ଛଡାଯାଇଛି । ଯାହା, ବାୟୁମଣ୍ଡଳ ପରିବର୍ତନର ଟିକିନିଖି ସୂଚନା ଦେବ । ଶୀତ, ଖରା, ବର୍ଷା ସହ ବାତ୍ୟା, ବଜ୍ରପାତ ଓ ପବନର ବେଗ ନେଇ ଆଗୁଆ ସୂଚନା ଦେବ । ପୂର୍ବରୁ ବାୟୁମଣ୍ଡଳର ତାପମାତ୍ରା ଜାଣିବା ପାଇଁ ଅଧିକ ସମୟ ଲାଗୁଥିଲା । କିନ୍ତୁ ଏହି ବେଲୁନ ପ୍ରତି ସେକେଣ୍ଡରେ ବାୟୁମଣ୍ଡଳ ପରିବର୍ତ୍ତନର ସୂଚନା ଦେବ । ଏଥର ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି । ତେବେ ତାତି ବଢିବା ନେଇ ପାଣିପାଗ ବିଭାଗର ଆକଳନ , ଲୋକଙ୍କ ଚିନ୍ତା ବଢାଇଦେଇଛି ।