ଭାରତ-ଚୀନ ସାଥ ସାଥ ! ଲଞ୍ଚ ଟେବୁଲରେ ଏକାଠି ହେବେ ଦୁଇ ବିଶ୍ୱ ନେତା, ବୁହାନ ହ୍ରଦ କୂଳରେ ମୋଦି-ଜିନପିଙ୍ଗ ବୁଲିବା ସହ କରିବେ ନୌକାବିହାର

29

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ଚୀନର ବୁହାନ ହ୍ରଦ ଉପକୂଳରେ ଦୁଇ ନେତା ବୁଲିବା ସହ ଅନଔପଚାରିକ କଥାବାର୍ତା କରିବେ । ହ୍ରଦରେ ଦୁଇ ନେତା ନୌକାବିହାର ବି କରିବେ । ୯ଟା ୧୦ ମିନିଟରେ ଉଭୟ ନେତା ମଧ୍ୟାହ୍ନଭୋଜନ କରିବେ । ଗତକାଲି ବି ଏହି ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ବୁହାନ ସହରର ସଂଗ୍ରହାଳୟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । ଦୁଇ ନେତାଙ୍କ ସମ୍ମୁଖରେ ଚୀନର ପାରମ୍ପରିକ ନୃତ୍ୟକୁ ପରିବେଷଣ କରିଥିଲେ ଚୀନର ନୃତ୍ୟଶିଳ୍ପୀ ।

ମୋଦିଙ୍କୁ ଚୀନରେ ଲାଲ କାର୍ପେଟରେ ସ୍ୱାଗତ କରାଯାଇଥିଲା । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଉପସ୍ଥିତିରେ ପ୍ରତିନିଧିସ୍ତରୀୟ ଆଲୋଚନା ବି ହୋଇଛି । ପ୍ରତିନିଧିସ୍ତରୀୟ ଆଲୋଚନା ପରେ ମୋଦି କହିଛନ୍ତି ଚୀନ ଓ ଭାରତ ବିଶ୍ୱ ଶାନ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଦୁଇ ଦେଶ ଚାହିଁଲେ ବିଶ୍ୱର ଅନେକ ସମସ୍ୟାର ସମାଧାନ କରିପାରିବେ । ମୋଦିଙ୍କ ସହ ଏହି ସାକ୍ଷାତକୁ ନେଇ ଖୁସି ଜାହିର କରିଛନ୍ତି ଜିନପିଙ୍ଗ୍ । ଆଲୋଚନା ବେଳେ ଚୀନ ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।