ପ୍ରଚାରରେ କମ୍ପୁଛି ବିଜେପୁର ମୈଦାନ: ଏପଟେ ମୁଖ୍ୟମନ୍ତ୍ରୀ, ସେପଟେ କେନ୍ଦ୍ରମନ୍ତ୍ରୀ; ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ଜୋରଦାର୍ କ୍ୟାମ୍ପେନିଂ

ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପେନିଂ, ଗାଇସିଲଟ୍ ବ୍ଲକରେ ରୋଡ ସୋ’; ବରପାଲି ଓ ବିଜେପୁର ବ୍ଲକରେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପେନିଂ

421

କନକ ବ୍ୟୁରୋ: ବିଜେପୁରରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦ୍ୱିତୀୟ ଦିନରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଇସିଲଟ ବ୍ଲକ, କେନ୍ଦୁଭଟା ଛକ, ଗୌରିମୁଣ୍ଡା ଛକ, ଗାଇସିଲଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଦଲପାଟ, ଭଂଗାମୁଣ୍ଡା, ଡାଙ୍ଗବାହାଲ, ସରଧାପାଲି, କରଞ୍ଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁନ୍ଦେରପାଲି ପର୍ଯ୍ୟନ୍ତ ରୋଡ୍ ସୋ କରିଛନ୍ତି । ହାଇଟେକ ବସରେ ବୁଲି ପ୍ରଚାର କରିବା ସହ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ନିବେଦନ କରୁଛନ୍ତି । ଗତକାଲି ବିଜେପୁରରେ ପ୍ରଚାର କରିଥିଲେ ନବୀନ । ଆଜି ପ୍ରଚାର ସାରି ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଚାର ଭିତରେ ବିଜେପୁରରେ ଡେରା ପକାଇଛନ୍ତି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ।

ଏପଟେ ବିଜେପୁର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଭୋଟ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ବିଜେପୁର ଏନ୍ଏସିରେ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହା ପରେ ବରପାଲି ବ୍ଲକର ବନ୍ଧପାଲି ପଂଚାୟତ, ଗୋପେଇପାଲି ପଂଚାୟତ ଏବଂ ବରପାଲି ଏନ୍ଏଏସି ଅଂଚଳରେ ରୋଡ୍ ସୋ କରିବେ । କେନ୍ଦ୍ରମନ୍ତ୍ରୀ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ରାଜ୍ୟ ବିଜେପି ସଭାପତି ବସନ୍ତପଣ୍ଡାଙ୍କ ସମେତ ଦଳର ଅନେକ ନେତା ବିଜେପୁରରେ ଡେରା ପକାଇଛନ୍ତି । ବସନ୍ତ ପଣ୍ଡା ଅଭିଯୋଗ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ଆଉ ଏହାର ଜବାବ୍ ବିଜେପୁରବାସୀ ନିର୍ବାଚନରେ ଦେବେ ।