ବାପା ମାଫିଆ ପୁଅ ମୌଲାନା ! ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମ୍ ଓ ତାଙ୍କ ପୁଅ ମୋଇନଙ୍କ କାହାଣୀ

33

କନକ ବ୍ୟୁରୋ : ବାପା ଡନ୍ ନମ୍ବର ୱାନ୍, ପୁଅ ମସଜିଦରେ କରୁଛନ୍ତି ଧର୍ମ ଚର୍ଚ୍ଚା । ଏହା ହେଉଛି ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ୍ ଇବ୍ରାହିମ୍ ଓ ତାଙ୍କ ପୁଅ ମୋଇନଙ୍କ କାହାଣୀ । ବାପାର ଆତଙ୍କୀ ଗ୍ୟାଙ୍ଗ୍ ଓ କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟଠାରୁ ଦୂରେଇ ଯାଇ ମୋଇନ୍ ପାଲଟିଛନ୍ତି ମୌଲାନା । ଘର ଦ୍ୱାରକୁ ଛାଡି ନିଜ ସ୍ତ୍ରୀ ପିଲାଂକୁ ନେଇ ମସଜିଦରେ ରହୁଛନ୍ତି ୩୧ ବର୍ଷୀୟ ମୋଇନ୍ । ଏକମାତ୍ର ପୁଅର ଏପରି ପରିବର୍ତ୍ତନ ପରେ ଚିନ୍ତାରେ ପଡିଯାଇଛି ଡନ୍ ।

ପୁଅର ଏପରି ପରିବର୍ତ୍ତନ ଚିନ୍ତଗ୍ରସ୍ତ କରିଦେଇଛି ଦାଉଦକୁ । ଏହାକୁ ଭାବି ଭାବି ବେମାର ହୋଇପଡିଛି ମାଫିଆ ସର୍ଦ୍ଦାର । ଏପରି ଖୁଲାସା କରିଛି ଦାଉଦର ଭାଇ ଇକବାଲ୍ । ମୁମ୍ବାଇ ଆଂଟି ଏକ୍ସଟରସନ୍ ସେଲ୍ ଜେରା କରୁଥିବା ବେଳେ ଇକ୍ବାଲ୍ କହିଛି ଦାଉଦର କଳା ସାମ୍ରାଜ୍ୟକୁ ଘୃଣା କରୁଛି ମୋଇନ୍ । ସାରା ବିଶ୍ୱରେ ଆତଙ୍କରାଜ ଚଳାଇଥିବା ମୋଷ୍ଟ ୱାଂଟେଡ୍ ଦାଉଦର କାର୍ଯ୍ୟକଳାପକୁ ବିରୋଧ କରୁଛି ମୋଇନ୍ ।

ଦାଉଦର ବିଶାଳ ବ୍ୟବସାୟଠାରୁ ଦୂରେଇ ରହି ଧାର୍ମିକ କାର୍ଯ୍ୟରେ ଦିନ କାଟୁଛି ମୋଇନ୍ । ପବିତ୍ର କୋରାନର ଧାଡ଼ି ଧାଡି ମନେ ରଖିଛି ମୋଇନ୍ । ପୁଅକୁ ଫେରାଇ ଆଣିବାକୁ ଦାଉଦର ସବୁୁଉଦ୍ୟମ ବ୍ୟର୍ଥ ହୋଇଥିବା କୁହାଯାଉଛି । ଏକ ମାତ୍ର ପୁଅ ମୋଇନର ଏପରି ମନୋଭାବ ପରେ କୋଟି କୋଟି ଟଙ୍କା କଳା ସାମ୍ରାଜ୍ୟକୁ କିଏ ଚଳାଇବ ଏହି ଚିନ୍ତାରେ ପଡିଯାଇଛି ଦାଉଦ୍ । ମାଫିଆ ଡନର ଦୁଇ ଝିଅ ବାହା ହୋଇଯାଇଛନ୍ତି । ଆଉ ଜଣେ ଝିଅର ମୃତ୍ୟୁ ଘଟିଛି ।