ଦାଉଦ ଇବ୍ରାହିମ କରାଚିରେ ଥାଇପାରେ, କିନ୍ତୁ ‘ଆମେ କାହିଁ ଭାରତକୁ ସାହାଯ୍ୟ କରିବୁ’! କହିଲେ, ମୁଶାରଫ

44

କନକ ବ୍ୟୁରୋ : ଦୁଇ ଦିନ ପୂର୍ବରୁ କେନ୍ଦ୍ର ଗୃହସଚିବ ରାଜୀବ ମେହରିଶି କହିଥିଲେ ଯେ, ଦାଉଦ ଇବ୍ରାହିମ ପାକିସ୍ତାନରେ ଅଛି । କିନ୍ତୁ ତାକୁ ଭାରତ ଆଣିବାରେ ପାକିସ୍ତାନ ବାଧା ସୃଷ୍ଟି କରୁଛି । ତେବେ ଗତକାଲି ଏ ସଂକ୍ରାନ୍ତରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁସାରଫ କହିଛନ୍ତି ଯେ, ‘ଦାଉଦ କରାଚିରେ ଥାଇପାରେ କିନ୍ତୁ ଆମେ କାହିଁ ଏ ମାମଲାରେ ଭାରତକୁ ସହଯୋଗ କରିବୁ’ । ଏକ ପାକିସ୍ତାନ ନ୍ୟୁଜ୍ ଚ୍ୟାନେଲ ସହ କଥା ହେଉଥିବା ସମୟରେ ମୁଶାରଫ କହିଥିଲେ ଯେ, ଭାରତ ପାକିସ୍ତାନ ବିରୋଧରେ ଅନେକ ବର୍ଷ ଧରି ଦୋଷ ଲଦି ଆସିଛି । ତେଣୁ ଏବେ ଆମେ କେମିତି ଭଲ ହୋଇ ଭାରତକୁ ଏ ମାମଲାରେ ସାହାଯ୍ୟ କରିବୁ ।

୧୯୯୩ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ କେଉଁଠି ଅଛି ମୁଁ ଜାଣେନା କିନ୍ତୁ ସେ ଏଠି କେଉଁଠି ଥାଇପାରେ ବୋଲି ମୁଶାରଫ କହିଛନ୍ତି । ମୁଶାରଫଙ୍କ ଏମିତି କଥା ସ୍ପଷ୍ଟ କରିଦେଉଛି ଯେ, ଦାଉଦ କରାଚିରେ ହିଁ ରହିଛି । କରାଚିରେ ଦାଉଦ ରହିଥିବା କଥା ଭାରତ ଦାବି କରିଆସୁଥିଲେ ମଧ୍ୟ ପାକିସ୍ତାନ ବାରମ୍ବାର ଏହାକୁ ପ୍ରତ୍ୟାଖ୍ୟାନ କରିଆସିଛି । ଗତ ୧୦ ବର୍ଷ ଧରି ନୂଆଦିଲ୍ଲୀ ଅନେକ ଅଧିକାରୀଙ୍କୁ ଇସଲାମାବାଦ୍ ପଠାଇ ଜଣାଇଛି ଯେ, ଦାଉଦ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ । କିନ୍ତୁ ଏଥିରେ ଇସଲାମାବାଦ କୌଣସି ପ୍ରକାର ସହଯୋଗ କରିନାହିଁ ।

ଦୁଇ ଦିନ ପୂର୍ବରୁ ରାଜୀବ ମେହରିଶି କହିଥିଲେ ଯେ, ପାକିସ୍ତାନ ଦାଉଦକୁ ଆଶ୍ରୟ ଦେଇଛି ଏବଂ ତାକୁ ଭାରତ ଫେରାଇ ଆଣି ଆଇନକୁ ସାମ୍ନା କରିବାରେ ପାକିସ୍ତାନ ବାଧା ସୃଷ୍ଟି କରିଛି । ରାଜୀବ ଏହା ମଧ୍ୟ କହିଥିଲେ ଯେ, ପାକିସ୍ତାନର ବ୍ୟବହାର ଅନ୍ତରାଷ୍ଟ୍ରୀୟ ଆଇନର ଅନୁରୂପ ନୁହେଁ ଏବଂ ଏହା ଇବ୍ରାହିମ ମାମଲାରେ ଭାରତ ବିରୋଧରେ କାର୍ୟ୍ୟ କରିଛି । ୧୯୯୩ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ଗତ ଏପ୍ରିଲ ମାସରେ ଗୃହ ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଦାଉଦ ପାକିସ୍ତାନରେ ଅଛି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ । ୨୦୧୧ ମସିହାରେ ଉପା ସରକାରର ତତ୍କାଳୀନ ଗୃହମନ୍ତ୍ରୀ ପି ଚିଦାମ୍ବରମ ମଧ୍ୟ କହିଥିଲେ ଯେ, ଦାଉଦ ଇବ୍ରାହିମ କରାଚିରେ ରହିଛି । ପ୍ରାରମ୍ଭରେ ପାକିସ୍ତାନ ଅଲ-କାଏଦା ମୁଖ୍ୟ ଓସାମା ବିନ ଲାଡେନକୁ ଆଶ୍ରୟ ଦେଇଥିଲା ବୋଲି ଭାରତ ଅଭିଯୋଗ କରିଥିଲା ।