ସ୍ମିଥଙ୍କ ପରେ ୱାର୍ଣ୍ଣରଙ୍କ ଆଖିରୁ ଝରିଲା ଲୁହ ! ସବୁଦିନ ପାଇଁ ନେଇପାରନ୍ତି କ୍ରିକେଟ୍ ରୁ ଅଲବିଦା ।

22

ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ ଡେଭିଡ ୱାର୍ଣ୍ଣର । ସ୍ମିଥଙ୍କ ପରେ ୱାର୍ଣ୍ଣରଙ୍କ ଆଖିରୁ ବହିଗଲା ଧାର ଧାର ଲୁହ । କ୍ରିକେଟକୁ କଳଙ୍କିତ କରିଥିବାରୁ ପଶ୍ଚାତାପ କଲେ ଏହି ପୂର୍ବତନ ଉପଅଧିନାୟକ । ସେପଟେ ୱାର୍ଣ୍ଣରଙ୍କ ସ୍ଥାନରେ ଆଇପିଏଲର ଆଗାମୀ ସିଜିନରେ ଖେଳିବେ ଆଲେକ୍ସ ହାଲ୍ସ । ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଏହି ଇଂଲଣ୍ଡ ଖେଳାଳିଙ୍କୁ ଗ୍ରୀନ ସିଗନାଲ ଦେଇଛି ବିସିସିଆଇ ।

ଭଦ୍ର ଲୋକଙ୍କ ଖେଳ କ୍ରିକେଟକୁ କଳଙ୍କିତ କରିଥିବାରୁ ପଶ୍ଚାତାପ କରୁଛନ୍ତି କଙ୍ଗାରୁ ଟିମର କ୍ରିକେଟର । ବଲ ଟାମ୍ପରିଂ ଅଭିଯୋଗରେ ସାରା ବିଶ୍ୱ ଯେଭଳି ନିନ୍ଦା କରିଛି ତାପରେ ଆପେ ଆପେ ବାହାରି ଆସିଛି ଅନୁତାପର ଅଶ୍ରୁ । ଷ୍ଟିଭ ସ୍ମିଥଙ୍କ ପରି ସାମ୍ବାଦିକ ସମ୍ମିଳନୀ ସମୟରେ କାନ୍ଦିକାନ୍ଦି ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ଏହି ପୂର୍ବତନ ଉପ- ଅଧିନାୟକ ।

କେପଟାଉନ ଟେଷ୍ଟରେ ସ୍ମିଥ, ୱାର୍ଣ୍ଣର ଓ ବ୍ୟାନକ୍ରଫ୍ଟଙ୍କ ବିରୋଧରେ ବଲ ଟାମ୍ପରିଂ ବା ଜାଣିଶୁଣି ବଲକୁ ନଷ୍ଟ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଥିଲା । ଏହାପରେ କ୍ରିକେଟ ଅଷ୍ଟ୍ରେଲିଆ କାର୍ଯ୍ୟାନୁଷ୍ଠାନ ନେଇଛି । ସ୍ମିଥ ଓ ୱାର୍ଣ୍ଣରଙ୍କୁ ବର୍ଷେ ପାଇଁ ବ୍ୟାନ କରାଯାଇଥିବାବେଳେ ଡେଭିଡ ୱାର୍ଣ୍ଣର ସବୁଦିନ ପାଇଁ କ୍ରିକେଟକୁ ଅଲବିଦା କହିପାରନ୍ତି । କୋଚ ଡାରେନ ଲେହମ୍ୟାନ ମଧ୍ୟ ଦକ୍ଷିଣ ଆଫ୍ରିକା ସିରିଜ ପରେ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିସାରିଛନ୍ତି ।

ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଗତବର୍ଷ ରନ୍ ମେସିନ ସାଜିଥିଲେ ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ । ହେଲେ ଏପ୍ରିଲ ୭ରୁ ଆରମ୍ଭ ହେଉଥିବା ଆଗାମୀ ସିଜିନରେ ଡେଭିଡ ୱାର୍ଣ୍ଣରଙ୍କ ସ୍ଥାନ ନେବେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହାଲ୍ସ । ୨୯ ବର୍ଷିୟ ହାଲ୍ସଙ୍କୁ ବେସପ୍ରାଇସ ୧ କୋଟିରେ ସନ ରାଇଜର୍ସ ହାଇଦ୍ରାବାଦ କିଣିଥିବା ବିସିସିଆଇ ସ୍ପଷ୍ଟ କରିଛି ।