ପରିବାର ଉପରକୁ ଦୋଷ ଠେଲିଦେଲେ ଡିଏଭି ସ୍କୁଲ କର୍ତ୍ତୃପକ୍ଷ : ପ୍ରିନ୍ସିପାଲ କହିଲେ ଘଟଣା ସଂପର୍କରେ ସ୍କୁଲକୁ କାହିଁକି ଜଣାଇନଥିଲେ ପରିବାର

40

କନକ ବ୍ୟୁରୋ : ଡିଏଭି ସ୍କୁଲ୍ ଅଫ୍ ମ୍ୟାନେଜମେଂଟ ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ କିଏ? ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସ୍କୁଲ ପ୍ରିନସିପାଲ, ମୃତ ଛାତ୍ରୀଙ୍କ ବାପା ମାଆଙ୍କ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି, ଘଟଣା ସଂପର୍କରେ ଜାଣିଥିଲେ ବି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସେମାନେ ଜଣାଇ ନଥିଲେ । ସେପଟେ ହଷ୍ଟେଲ ଛାତ୍ରୀମାନଙ୍କୁ ପଚରାଉଚରା କରିବା ସହ ୩୦୬ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଅଫ୍ ମ୍ୟାନେଜମେଂଟ୍ ଛାତ୍ରୀ ତାନିଆ ବାନାର୍ଜୀଙ୍କ ମୃତ୍ୟୁ ଘଟଣାରୁ ନିଜ ଦୋଷ ଛଡାଇ ଦେଇଛନ୍ତି ପ୍ରିନସିପାଲ୍ । କେବଳ ସେ ସ୍କୁଲକୁ କ୍ଲିନ୍ ଚିଟ୍ ଦେଇନାହାନ୍ତି, ଓଲଟା ଦୋଷ ଲଦିଛନ୍ତି ତାନିଆଙ୍କ ବାପା ମାଆଙ୍କ ଉପରେ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୃତକ ତାଙ୍କ ମାଆଙ୍କୁ ଆତ୍ମହତ୍ୟା ସଂପର୍କରେ ଜଣାଇଥିଲେ ବି ସେମାନେ ସ୍କୁଲ୍ କର୍ତୃପକ୍ଷଙ୍କୁ ଜଣାଇନଥିଲେ । ସ୍କୁଲ କର୍ତୃପକ୍ଷଙ୍କୁ ଜଣାଇଥିଲେ ଏଭଳି ଅଘଟଣକୁ ଏଡାଇ ଦିଆଯାଇପାରିଥାନ୍ତା ବୋଲି କହିଛନ୍ତି ପ୍ରିନସିପାଲ୍ । ତେବେ ଏହାକୁ ଖଣ୍ଡନ କରିଛନ୍ତି ତନୟାଙ୍କ ପରିବାର ।

ଆରୋପ ପ୍ରତ୍ୟାରୋପ ମଧ୍ୟରେ କମିଶନରେଟ ପୋଲିସ ଆରମ୍ଭ କରିଛି ତନାଘନା । କେଉଁ ପରିସ୍ଥିତିରେ ତାନିଆ ଆତ୍ମହତ୍ୟା କଲେ, ସେ ନେଇ ହଷ୍ଟେଲର ଛାତ୍ରୀଙ୍କୁ ପଚରାଉଚରା କରୁଛି ପୁଲିସ । ଏହାସହ ଆତ୍ମହତ୍ୟା ପାଇଁ ପ୍ରର୍ବତ୍ତାଇବା ନେଇ ଆଇପିସିର ୩୦୬ ଦଫାରେ ମାମଲା କରାଯାଇଛି । ଜଣେ ଇନସପେକ୍ଟରଙ୍କ ସମେତ ୬ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି ।