କନକ ବ୍ୟୁରୋ: ସତ ସାମ୍ନାକୁ ଆଣିବାକୁ ଲାଗିଗଲା ୮ ବର୍ଷ । ମାଆ ମୁଣ୍ଡରୁ କଳଙ୍କ ପୋଛିବା ପାଇଁ ଝିଅକୁ ଲାଗିଲା ୮ ବର୍ଷ । ମାଆ ଭୁଲ କରି ନଥିଲା ସମାଜକୁ ଏଇ ସତ ଜଣାଇବାକୁ ଝିଅକୁ ଦୀର୍ଘ ୮ ବର୍ଷ ସଂଘର୍ଷ କରିବାକୁ ପଡିଲା । ମାଆକୁ ନେଇ ସମାଜ ଶୁଣେଇ ଥିବା ସତକୁ ମିଛ ପ୍ରମାଣିତ କରିବା ପାଇଁ ଝିଅକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବାକୁ ପଡିଲା । ଆଉ ସଙ୍ଘର୍ଷ ସହ ଯୁଝି ଯୁଝି ଶେଷରେ ସଫଳତା ପାଇଲା ଝିଅ ।
Kanak News is now on WhatsApp
Join and get latest news updates delivered to you via WhatsApp
ମାଆ କାହା ସହ ଫେରାର ହୋଇଯାଇଥିବା କଥାକୁ ଭୁଲ ପ୍ରମାଣିତ କରିବାକୁ ଝିଅ ୮ ବର୍ଷ ଧରି ଉଦ୍ୟମ କରି ଆସିଥିଲା । ଥାନାରେ ଅଭିଯୋଗ ପରେ ବି ପୋଲିସ କଥା ଅଣଦେଖା କରିଥିଲା ଆଉ ଏକ ନିଖୋଜ ମାମଲା ରୁଜୁ କରି ଚୁପ ବସିଥିଲା । ହେଲେ ୮ ବର୍ଷ ପରେ ପୁଲିସ ଘଟଣାର ଅନୁଧ୍ୟାନ କରିବା ପରେ ଜଣାପଡିଲା କି ମାଆ କାହା ସହ ଫେରାର ହୋଇ ଯାଇନି ବରଂ ତାକୁ ହତ୍ୟା କରାଯାଇଛି ବୋଲି । ଏଭଳି ସମ୍ବେଦନଶୀଳ ଖବର ସମ୍ବଲପୁରରେ ଘଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବା ସହ ମୃତ ମହିଳାଙ୍କ ଶବ ଖୋଜୁଛି ପୁଲିସ ।
ତେବେ ୨୦୧୧ ମସିହାରେ ସମ୍ବଲପୁର ନନ୍ଦପଡାର ସ୍ୱର୍ଗତ ମୂରାରୀ ମିଶ୍ରଙ୍କର ସ୍ତ୍ରୀ ଜୟଶ୍ରୀ ମିଶ୍ର ଝିଅର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଦେବାକୁ ଗୋଶାଳା ସ୍ଥିତ ବଡସିଙ୍ଘାରି ଗାଁର ବସନ୍ତ ପଣ୍ଡାଙ୍କ ଘରକୁ ଯାଇଥିଲେ । ହେଲେ ସେବେଠାରୁ ସେ ଆଉ ଫେରିନଥିଲେ । ଜୟଶ୍ରୀ ଘରକୁ ନଫେରିବାରୁ ତାଙ୍କ ପିଲାମାନେ ୧୪.୧୦.୨୦୧୧ରେ ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ କରିଥିଲେ । କିନ୍ତୁ ପୁଲିସ ଘଟଣାକୁ ଗୁରୁତର ସହ ନେଇ ନଥିଲା । ପୁଲିସ କେବଳ ଏକ ନିରୁଦ୍ଧିଷ୍ଟ ମାମଲା ରୁଜୁ କରି ଚୁପ ବସିଥିଲା ।
ଜୟଶ୍ରୀଙ୍କ ସାନ ଝିଅ ବାରମ୍ବାର ଏହି ଘଟଣାକୁ ନେଇ ତଳୁ ଉପର ମହଲ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ କବାଟ ଖଟଖଟ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଗତ ୧୭ ତାରିଖରେ ଗୃହ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖିଥିଲେ ବିଜୟନୀ ମିଶ୍ର । ଘଟଣା ବାବଦରେ ସବୁ କିଛି ଲେଖିବା ସହ ବିଭିନ୍ନ ବିଭାଗର ଅଧିକାରୀ କିପରି ଅବହେଳା କରିଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଥିଲେ ।
ଏହାପରେ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ କରିଛି ପୋଲିସ । କରଜ ନେଇଥିବା ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଠାରୁ ଅଧିକ ତଥ୍ୟ ଆଦାୟ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଛି । ମୃତଦେହ ପୋତା ହୋଇଥିବା ସ୍ଥାନ ଖୋଜିବା ଆରମ୍ଭ ହୋଇଛି । ତେବେ ମାଆ ମୁଣ୍ଡରୁ କଳଙ୍କ ପୋଛିବାକୁ ଝିଅର ଏ ସାହସକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।