ଅନ୍ଧ ପ୍ରେମ ! ପ୍ରେମିକ ସହ ଭେଟିବାରେ କଣ୍ଟା ସାଜିଥିଲେ ବାପା, ଶୋଇଥିବା ବେଳେ କୁରାଢ଼ୀରେ ତଣ୍ଟି କାଟି ହତ୍ୟା କଲା ଝିଅ

43

କଥାରେ ଅଛି ପ୍ରେମ ଅନ୍ଧ । ପ୍ରେମ ଆଗରେ ସବୁ କିଛି ଫିକା । ନିଜ ପ୍ରେମକୁ ପାଇବା ପାଇଁ କେତେବେଳେ ଯେ ମଣିଷ ପଶୁ ପାଲଟିଯାଏ ତାହା ଜାଣିପାରେନା । ଏପରିକି ବେଳେ ବେଳେ ପ୍ରେମରେ କଣ୍ଟା ସାଜୁଥିବା ବ୍ୟକ୍ତିକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥାନ୍ତି ପ୍ରେମୀ । ପ୍ରେମ ପାଇଁ ଝିଅ ଏତେ ଅନ୍ଧ ଯେ, ନିଜ ବାପାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ ଝିଅ । ଆଉ ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଜବଦଲପୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ମଧ୍ୟପ୍ରଦେଶର ୧୭ ବର୍ଷିୟା ନାବାଳିକା ନିଜ ପ୍ରେମିକ କଥାରେ ପଡ଼ି ନିଜ ବାପାକୁ ହତ୍ୟା କରିଛି । ବେଲଖେଡା ଥାନା ଅଧିକାରୀ ରାଜେନ୍ଦ୍ର ବାଗରି ରବିବାର କହିଛନ୍ତି, ମେଲି ଗ୍ରାମରେ ଭୋଲାରାମ ଗୌଡଙ୍କୁ କୁରାଢ଼ୀରେ ହାଣି ତାଙ୍କ ଝିଅ ହତ୍ୟା କରିଥିଲା। ପୁଲିସ ମୃତ ଭୋଲାରାମଙ୍କ ଝିଅକୁ ବିଚାରବିଭାଗୀୟ ହେପାଜତକୁ ନେଇ ଜେରା କରିବା ପରେ ଝିଅ ନିଜ ଦୋଷ ସ୍ୱୀକାର କରିଥିଲା। ତାର ୨୯ବର୍ଷିଅ ପ୍ରେମିକ ନେପାଳ ସିଂହ ଲୋଧି କଥାରେ ପଡ଼ି ଏପରି କାମ କରିଥିଲା ବୋଲି ପୁଲିସ ଆଗରେ ଝିଅ କହିଥିଲା। ଏହାପରେ ପୁଲିସ ନେପାଳ ସିଂହଙ୍କୁ ଗିରଫ କରିଛି।

ପଡ଼ୋଶୀ ଘରର କ୍ଷେତରେ କାମ କରୁଥିବା ନେପାଳ ସିଂହଙ୍କୁ ନାବାଳିକା ଜଣକ ଭଲ ପାଇ ବସିଥିଲେ । ଏପରିକି ଭୋଲାରାମ କ୍ଷେତରେ ଉଭୟଙ୍କୁ ଥରେ ଦେଖି ଦେଇଥିଲେ। ଏହାପରେ ଭୋଲାରାମ ନିଜ ପତ୍ନୀଙ୍କୁ ଏ ବିଷୟରେ ଜଣାଇ ଝିଅକୁ ଉକ୍ତ ଯୁବକ ସହିତ ମିଳାମିଶା କରିବା ଉପରେ ଅଙ୍କୁଶ ଲଗାଇଥିଲେ। ଏହି ରାଗରେ ଅଭିଯୁକ୍ତ ନେପାଳ ଭୋଳାରାମକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲା। ଭୋଲାରାମକୁ ମାରିବାକୁ ନାବାଳିକା ପ୍ରେମିକାକୁ ବାରମ୍ବାର ଉସକାଇଥିଲେ ନେପାଳ । ଆଉ ଘଟଣା ଦିନ ଭୋଳାରାମ ଶୋଇଯିବା ପରେ ଝିଅ କୁରାଢ଼ୀରେ ବାପାଙ୍କ ବେକକୁ ହାଣି ହତ୍ୟା କରିଥିଲା । ପୋଲିସ ଉକ୍ତ କୁରାଢ଼ୀକୁ ଜବତ କରିବା ସହ ଦୁହିଁକୁ ଗିରଫ କରିଛି ।