କର୍ଣ୍ଣାଟକ ନିର୍ବାଚନ ପାଇଁ ବାଜିଲା ବିଗୁଲ! ୧୨ରେ ହେବ ଭୋଟ, ୧୫ରେ ଫଳାଫଳ

25

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମେ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ । ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁଯାୟୀ, ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୨୪ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୧୭ ତାରିଖରେ ବିଧିବଦ୍ଧ ଭାବେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ, ୨୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ।

ଏପ୍ରିଲ ୨୭ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ସେହିଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମେ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ ୧୫ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ଏହି ହାଇଭୋଲଟେଜ ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ମଧ୍ୟ ସ୍ୱତନ୍ତ୍ର ଭାବେ ନଜର ରଖାଯିବ । ଏପରିକି ପ୍ରତି ପ୍ରାର୍ଥୀ ନିର୍ବାଚନରେ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି ।

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଇଭିଏମ ମେସିନ ସହ ଭିଭିପାଟ ମେସିନର ମଧ୍ୟ ବ୍ୟବହାର କରାଯିବ । ମୋଟ ୫୬ ହଜାର ପୁଲିଂ ବୁଥରେ ମତଦାନ କରାଯିବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ, କର୍ଣ୍ଣାଟକରେ ମୋଟ ୪ କୋଟି ୯୬ ଲକ୍ଷ ଭୋଟର ମତଦାନ କରିବେ ।କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୩ ଜୁନରେ ଶେଷ ହେବାକୁ ଯାଉଛି ।

ଚଳିତ ନିର୍ବାଚନରେ ଏକ ହାଇଭୋଲଟେଜ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଶାସକ କଂଗ୍ରେସ ସହ ବିଜେପିର କଡା ଟକ୍କର ହେବାକୁ ଯାଉଛି । ୨୦୧୩ ମସିହାରେ କଂଗ୍ରେସ ୧୨୨ଟି ଆସନ ଜିତିବା ସରକାର ଗଢିଥିଲା । ବିଜେପିକୁ ମାତ୍ର ୪୦ଟି ସିଟ୍ ମିଳିଥିବା ବେଳେ ଜେଡିୟସ ମଧ୍ୟ ୪୦ଟି ସିଟ୍ ଉପରେ କବଜା କରିଥିଲା ।