ଭାରତ ଆସିବାକୁ ପ୍ରସ୍ତୁତ ଦୁର୍ଦ୍ଦଷ ଯୁଦ୍ଧ ବିମାନ ରାଫେଲ!

444

କନକ ବ୍ୟୁରୋ : ଭାରତ ଆସିବାକୁ ପ୍ରସ୍ତୁତ ରାଫେଲ ଯୁଦ୍ଧ ବିମାନ । ଆଜି ଫ୍ରାନ୍ସ ଏୟାରବେସରେ ବିଶ୍ୱର ଏହି ଦୁର୍ଦ୍ଦଷ ଲଢୁଆ ବିମାନର ଝଲକ ଦେଖିବାକୁ ମିଳିଛି । ସେପଟେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଡାସଲ୍ଟର ସିଇଓ କହିଛନ୍ତି, ଅନିଲ ଅମ୍ବାନୀଙ୍କୁ ଭାରତୀୟ ପାର୍ଟନର ଚୟନ କରିବା କମ୍ପାନିର ନିଷ୍ପତି ଥିଲା ।

ଫ୍ରାନ୍ସ ଏୟାରବେସରେ ପ୍ରସ୍ତୁତ ହୋଇ ରହିଛି ଭାରତ ଆସିବାକୁ ଥିବା ବିଶ୍ୱର ସବୁଠାରୁ ଦୁର୍ଦ୍ଦଷ ଲଢୁଆ ବିମାନ କୁହାଯାଉଥିବା ରାଫେଲ ଜେଟ୍ । ଅନେକ ବାଦ ବିବାଦ, ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ଭାରତକୁ ଆସିବାକୁ ଯାଉଛି ୩୬ ରାଫେଲ ଜେଟ୍ । ଫିଫଥ ଜେନେରେସନର ଯୁଦ୍ଧ ବିମାନ କୁହାଯାଉଥିବା ଏହି ଜେଟକୁ ଅପେକ୍ଷା କରି ରହିଛି ଭାରତୀୟ ବାୟୁ ସେନା ।

ରାଫେଲ ଲଢୁଆ ବିମାନ
– ଆକଶମାର୍ଗରେ ହିଁ ଶତ୍ରୁ ବିମାନକୁ ଟାର୍ଗେଟ କରିପାରିବ
– ଆକାଶମାର୍ଗରେ ରହି ଭୂପୃଷ୍ଠରେ ଟାର୍ଗେଟକୁ ହିଟ୍ କରିବ
– ଆକାଶମାର୍ଗରୁ ପରମାଣୁ ଯୁଦ୍ଧାସ୍ତ୍ର ନିକ୍ଷେପ କରିବାକୁ ସମର୍ଥ
– ଶତ୍ରୁ ବିମାନକୁ ଲୋକେଟ୍ କରିବ ଓ ରାଡାରକୁ ଜାମ୍ କରିଦେବ
– ଆକ୍ରମଣ କରି ଫେରିଆସିବାକୁ ରହିଛି ସ୍ୱତନ୍ତ୍ର ସିଷ୍ଟମ
– ଅଳ୍ପ ଉଚ୍ଚରେ ଉଡି ଅଥବା ଉଚ୍ଚରେ ଥାଇ ଯୁଦ୍ଧ କରିବାକୁ ସମର୍ଥ

ମୋଦି ସରକାରଙ୍କ ଅମଳରେ ଫ୍ରାନ୍ସ ସହ ଦେଶର ସବୁଠାରୁ ବଡ ପ୍ରତିରକ୍ଷା ଚୁକ୍ତିକୁ ନେଇ ବାରମ୍ବାର ପ୍ରଶ୍ନ କରିଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଯୁଦ୍ଧ ବିମାନ ନିର୍ମାଣରେ କୌଣସି ଅଭିଜ୍ଞତା ନଥିବା ଅନୀଲ ଅମ୍ବାନୀଙ୍କ ରାଲାଏନ୍ସ ଡିଫେନ୍ସକୁ କିଭଳି ରାଫେଲ କଂଟ୍ରାକ୍ଟ ମିଳିଲା? ରାହୁଲ ଗାନ୍ଧିଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ରାଫେଲ ବିମାନ ନିର୍ମାଣ କରୁଥିବା ଫ୍ରାନ୍ସ କମ୍ପାନି ଡାସଲ୍ଟର ସିଇଓ । କମ୍ପାନି ମୁଖ୍ୟ ଏରିକ ଟ୍ରାପିୟର ସ୍ପଷ୍ଟ କରିଛନ୍ତି ଯେ, ଡାସଲ୍ଟ ନିଜେ ଭାରତରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ଭାବେ ବାଛିଥିଲା ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସମ୍ପାଦିକା ସ୍ମିତା ପ୍ରକାଶଙ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ରାଫେଲ ଡିଲର ଏ ବି ସି ଡି ବୁଝାଇଛନ୍ତି ଡାସଲ୍ଟର ସିଇଓ । ଏପରିକି ଅନିଲ ଅମ୍ବାନୀଙ୍କୁ ଭାରତୀୟ ପାର୍ଟନର ଚୟନ କରିବା କମ୍ପାନିର ନିଷ୍ପତି ଥିଲା ବୋଲି କହିବା ପରେ ପୁଣି ଚିହିଁକି ଉଠିଛି କଂଗ୍ରେସ । ‘ଶ୍ରୁତ ଲିଖନ ଭଳି ସାକ୍ଷାତକାର’ ଓ ‘ତିଆରି କରାଯାଇଥିବା ମିଛ’ ରାଫେଲ ଦୁର୍ନୀତିକୁ ଚପାଇ ପାରିବନାହିଁ ବୋଲି ଦଳ କହିଛି । ସତ ସାମ୍ନାକୁ ଆସିବ ଓ ସୁପ୍ରିମକୋର୍ଟରେ ସରକାରଙ୍କ ମିଛ ଧରା ପଡିଯାଇଥିବା କଂଗ୍ରେସ ଦାବି କରିଛି ।