ଜମି ବିବାଦକୁ କେନ୍ଦ୍ର କରି ସମ୍ପର୍କରେ ପଡିଲା ରକ୍ତର ଛିଟା : ପୁଅର ଠେଙ୍ଗା ମାଡରେ ବାପାଙ୍କ ମୃତ୍ୟୁ

27

କନକ ବ୍ୟୁରୋ : ଦିନକି ଦିନ ମଣିଷ ମାନବିକତା ହରାଇ ବସୁଛନ୍ତି । ପରିସ୍ଥିତି ଏପରି ହେଲା ଯେ, ରକ୍ତର ସମ୍ପର୍କ ମଧ୍ୟ ଟଙ୍କାପଇସା ଆଗରେ ବଳି ପଡୁଛି । ତେବେ ବର୍ତ୍ତମାନ ସମୟରେ ଜମିଜମା ପାଇଁ ବାପାଙ୍କୁ ହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହିଁ ପୁଅ । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ପାଲଟାପୁର ଗ୍ରାମ ପଞ୍ଚାୟତର କମାର ସାହି ଗାଁରେ । ଏକ ବିବାଦୀୟ ଜମି କୁ ନଇ ବାପପୁଅଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି। ଉଭୟ ବାପ ପୁଅ ଏହି ଜମିକୁ ନେଇ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରଥିଲେ। ତେବେ ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଥିବା ବେଳେ ବାପାର ଠେଙ୍ଗାମାଡ଼ରେ ଆହତ ପୁଅକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପୁଅଙ୍କର ଚିକିତ୍ସା କରାଇ ପୁଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି।

 

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ପାଲଟାପୁର ଗ୍ରାମ ପଞ୍ଚାୟତର କମାର ସାହି ଗାଁର ରାଧେଶ୍ୟାମ ବେହେରା(୮୦ ବର୍ଷ)ଙ୍କର ଏକ ବିବାଦୀୟ ଜମିକୁ ନେଇ ସାନ ପୁଅ ପ୍ରମୋଦ ବେହେରାଙ୍କ ସହିତ ବିବାଦ ଲାଗି ରହିଥିଲା। ଏପରିକି ଏହି ବିବାଦୀୟ ଜମି ଉପରେ ୧୪୪ ଧାରା ଜାରି କରାଯାଇ ଉଭୟଙ୍କୁ ଏହାର ବ୍ୟବହାର ଉପରେ ବାରଣ କରାଯାଇଥିଲା। ମାତ୍ର ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏହାକୁ ନେଇ ଉଭୟ ବାପ ପୁଅ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଆହତ ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାପା ରାଧେଶ୍ୟାମ ବେହେରାଙ୍କର ମୃତ୍ୟୁ ଘଟିଛି।। ପୁଲିସ ଅଭିଯୁକ୍ତ ପୁଅ ପ୍ରମୋଦଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ସାମନ୍ୟ ଜମିବିବାଦକୁ କେନ୍ଦ୍ର କରି ଏପରି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଲିଯାଇଛି ।