ଦାରୁଠେଙ୍ଗରେ ଠେଙ୍ଗାମାଡ : ପ୍ରତିବାଦ ବେଳେ ଦାରୁଠେଙ୍ଗରେ ପୋଲିସ୍ ଜନତା ମୁହାଁମୁହିଁ

47

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଅଶାନ୍ତ ଦାରୁ ଠେଙ୍ଗ । ରାସ୍ତାରୋକ, ପୋଡାଜଳା । ପୋଲିସ ସହ ଧସ୍ତାଧସ୍ତି । ଅଳିଆ ପକାଇବାକୁ ନେଇ ପୋଲିସ ଓ ଜନତା ମୁହାଁମୁହିଁ । କେତେବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପଥରମାଡ ତ କେତେବେଳେ ଆତ୍ମରକ୍ଷା ପାଇଁ ପୋଲିସର ଲାଠି ମାଡ ସହ ଟିୟର ଗ୍ୟାସ ପ୍ରୟୋଗ । ଅଧଘଂଟାର ରଣକ୍ଷେତ୍ର ପାଲଟିଥିଲା ଦାରୁଠେଙ୍ଗ । ବନ୍ଦ ହୋଇଯାଇଥିଲା ପୁରୀ-ବାରଙ୍ଗ ରାସ୍ତା । ଭୂଆଶୁଣୀ ଡମ୍ପିଂୟାର୍ଡରେ ରାଜଧାନୀର ଅଳିଆ ପକାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଗି କିଛି ଏଭଳି ଢଙ୍ଗରେ ବିସ୍ଫୋରଣର ରୂପ ନେଇଥିଲା ।

ସ୍ଥିତି ବେକାବୁ ହେଉଥିଲା, ପୋଲିସର ବୁଦ୍ଧି ହଜୁଥିଲା । କିଭଳି ନିୟନ୍ତ୍ରଣ ହେବ ଉପୁଜିଥିବା ହିଂସା । ୧୬ ପ୍ଲାଟୁନ ଫୋର୍ସ ସହ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ଡିସିପି । କାରଣ ଅଳିଆ ନପଡିଲେ ସ୍ମାର୍ଟ ସିଟିର ଅସଲ ଚେହେରା ଧରା ପଡିଯିବ । ଭୂଆଶୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ସରକାରଙ୍କ ନିଷ୍ପତିକୁ ଜାନୁଆରୀ ମାସରୁ ବିରୋଧ କରି ଆସୁଛନ୍ତି ଦାରୁଠେଙ୍ଗ ବାସିନ୍ଦା । ଅଭିଯୋଗ କରିଛନ୍ତି ଅଳିଆ ପଡିବା ଦ୍ୱାରା ସ୍ଥାନୀୟ ଅଂଚଳରେ ରୋଗ ବ୍ୟାପୁଛି ଓ ସାଧାରଣ ଜୀବନ ବଂଚିବା ମୁସ୍କିଲ୍ ହୋଇପଡୁଛି । ଏହାପରେ କିଛିଦିନ ଧରି ଭୂଆଷୁଣୀରେ ଅଳିଆ ପକାଇବା ବନ୍ଦ କରିଥିଲା ବିଏମସି । ହେଲେ ଗତକାଲିଠାରୁ ପୁଣିଥରେ ଅଳିଆ ପକାଇବା ପରେ ଆଜି ସୃଷ୍ଟି ହୋଇଥିଲା ଏଭଳି କିଛି ପରିସ୍ଥିତି । ଏସବୁ ଭିତରେ ନଜର ସମାଧାନର ରାସ୍ତା ବିଏମସି ଖୋଲୁଛି ନା ଅଳିଆ ପକାଇବାକୁ ବିକଳ୍ପ ସ୍ଥାନର ବ୍ୟବସ୍ଥା କରୁଛି ।