ଅଶୁଭ ଅମରକଣ୍ଟକ ! ପଦ ପାଇଁ ପଥ ପରିବର୍ତ୍ତନ କଲେ ମୋଦି

81

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିଲେ ଅମରକଣ୍ଟକ । ନର୍ମଦା ନଦୀର ସଂରକ୍ଷଣ ପାଇଁ ଉଠାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ସହ ’ନମାମୀ ଦେବୀ ଯାତ୍ରା’ର ସମାପନ କରିବା ଥିଲା ଉଦ୍ଦେଶ୍ୟ । ତେବେ ଅମରକଣ୍ଟକର ରାଜନୈତିକ ଇତିହାସକୁ ଯଦି ଓଲଟାଯାଏ ତେବେ ଏହାର ରହିଛି ଅନେକ ଅଶୁଭ କାହାଣୀ । କାରଣ ଯେଉଁ ନେତା ଏଠାକୁ ଆସନ୍ତି ସେ ନିଜର ପଦ ହରାଇଥାନ୍ତି । ତେଣୁ ନିଜ ପଦ ବଂଚାଇବାକୁ ମୋଦି ନେଇଥିଲେ ବଡ ନିଷ୍ପତି । ସେ ସିଧାସଳଖ ହେଲିକପ୍ଟରରେ ଅମରକଣ୍ଟକରେ ପହଂଚି ନଥିଲେ । ଅମରକଣ୍ଟକ ଠାରୁ ମାତ୍ର ୮ କିମି ଦୂରରେ ଏକ ଗାଁରେ ଓହ୍ଲାଇଥିଲେ । ତାପରେ କାରରେ ଯାଇଥିଲେ ଅମରକଣ୍ଟକ । ମାତ୍ର ଏହି ପଥ ପରିବର୍ତ୍ତନ କଣ ମୋଦିଙ୍କ ପଦକୁ ରକ୍ଷା କରିପାରିବ । ତେବେ ଜାଣନ୍ତୁ ଏହି ଅମରକଣ୍ଟକର ଅଶୁଭ ଅଧ୍ୟାୟ  ।

ଇତିହାସର ଆଇନାରେ ଅମରକଣ୍ଟକ  : 

– ୧୯୮୨ ମସିହାରେ ପୁର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅମରକଣ୍ଟକ ଯାତ୍ରାରେ ଯାଇଥିଲେ । ଏହାର ଦୁଇବର୍ଷ ପରେ ୧୯୮୪ରେ ତାଙ୍କର ହତ୍ୟା କରାଯାଇଥିଲା ।

– ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ସୁନ୍ଦରଲାଲ ପଟୱା ବାବରୀ ମସଜିଦ୍‌ ଧ୍ୱଂସ ହେବା ମାମଲା ପୂର୍ବରୁ ଏଠାକୁ ଗସ୍ତରେ ଆସିଥିଲେ । ଏହାପରେ ତାଙ୍କୁ ପଦକୁ ଛାଡ଼ିବାକୁ ପଡ଼ିଥିଲା ।

– ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହ ନିଜର କାର୍ଯ୍ୟକାଳ ସମୟରେ ଅମରକଣ୍ଟକ ଆସିଥିଲେ । ଏହା ପରେ ସେ କଂଗ୍ରେସ ଛାଡ଼ିଥିଲେ ।

– ଏବେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଥିବା ଉମା ଭାରତୀ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୪ରେ ଏଠାକୁ ଆସିଥିଲେ । ଏହାପରେ ତାଙ୍କୁ ଗାଦିରୁ ହଟିବାକୁ ପଡ଼ିଥିଲା।

– ପୂର୍ବତନ ଉପ ରାଷ୍ଟ୍ରପତି ଭୈରୋସିଂହ ଶେଖାୱତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅମରକଣ୍ଟକ ହେଲିକପ୍ଟର ଯୋଗେ ଆସିଥିଲେ । ଏହା ପରେ ତାଙ୍କୁ ପଦ ହରାଇବାକୁ ପଡ଼ିଥିଲା।

ଉପରୋକ୍ତ ଉଦାହରଣ ଗୁଡ଼ିକରେ ଗୋଟିଏ ସମାନତା ରହିଛି । ଯାହା ହେଉଛି ସମସ୍ତ ନେତା ହେଲିକପ୍ଟର ଯୋଗେ ଅମରକଣ୍ଟକ ଯାଇଥିଲେ। ତେବେ ଏହି ଉଦାହରଣ ସାମ୍ନାକୁ ଆସିବା ପରେ ସମସ୍ତ ନେତା ଏଠାକୁ ହେଲିକପ୍ଟର ଯୋଗେ ଯିବାଆସିବା ବନ୍ଦ କରିଦେଇଛନ୍ତି । ତେଣୁ ଉମା ଭାରତୀ ପରେ ଯେବେ ବି ଅମରକଣ୍ଟକ ଆସିଛନ୍ତି ତେବେ ସଡ଼କପଥକୁ ବାଛିଛନ୍ତି ।