ଆସୁଛି ଭୟଙ୍କର ଭୂମିକମ୍ପ ? କମ୍ପନର ଝଟକାରେ ଥରିଉଠିବ ଭାରତର ଏକ ବଡ ଅଂଶ, ହୋଇପାରେ ବ୍ୟାପକ କ୍ଷୟକ୍ଷତି !

22,721

କନକ ବ୍ୟୁରୋ : ଆସୁଛି ଭୟଙ୍କର ଭୂମିକମ୍ପ ? ଭୂମିକମ୍ପର ଝଟକାରେ ଥରିଉଠିବ ଭାରତର ଏକ ବଡ ଅଂଶ । ଏଭଳି କିଛି ସୂଚନା ଦେଇଛି ଆଇଆଇଟି କାନପୁର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପର ଏହି ଭୟଙ୍କର ଝଟକା ଦେଶର ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ବିହାର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ଅର୍ଥାତ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଆସିପାରେ ।

ଆଇଆଇଟି କାନପୁରର କହିବା ଅନୁଯାୟୀ, ଯେଉଁ ଭୂକମ୍ପ ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ଆସିବ, ରିକ୍ଟର ସ୍କେଲରେ ତାର ତୀବ୍ରତା ୭.୫ରୁ ୮.୫ ରିକ୍ଟର ମଧ୍ୟରେ ରହିପାରେ । ତେବେ ଆଇଆଇଟି କାନପୁରର ଏହି ଦାବି ଉପରେ ଏକ ବଡ ଅଧ୍ୟୟନ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ୫୦୦ ବର୍ଷ ମଧ୍ୟରେ ଗଙ୍ଗା ନଦୀର କୂଳେ କୂଳେ ସ୍ଥଳଭାଗ ଅଂଚଳରେ କୌଣସି ବଡ ଭୂମିକମ୍ପ ହୋଇନାହିଁ । ତେବେ ଏହି ଭୟଙ୍କର ଭୂକମ୍ପକୁ ନେଇ ଅଧିକ ଅଧ୍ୟୟନ ଜାରି ରଖିଛି ଆଇଆଇଟି କାନପୁର ।

ଅଧ୍ୟୟନ ଅନୁଯାୟୀ, ୧୮୮୫ରୁ ୨୦୧୫ ମଧ୍ୟରେ ଭାରତରେ ୭ଟି ବଡ ଭୂମିକମ୍ପ ହୋଇଥିବା ରେକର୍ଡ ରହିଛି । ଆଉ ଏହି ସବୁ ଭୟଙ୍କର ଭୂମିକମ୍ପର ତୀବ୍ରତା ୭.୫ରୁ ୮.୫ ମଧ୍ୟରେ ରହିଛି । ୨୦୦୧ରେ ଗୁଜୁରାଟର ଭୁଜରେ ହୋଇଥିବା ଭୂମିକମ୍ପ ପାଖାପାଖି ୩୦୦ କିଲୋମିଟର ଦୂରରେ ଥିବା ଅହମ୍ମଦାବାଦକୁ ମଧ୍ୟ ଦୋହଲାଇ ଦେଇଥିଲା । ଏପରିକି ଅହମ୍ମଦାବାଦରେ ଅନେକ କ୍ଷତି ମଧ୍ୟ ହୋଇଥିଲା ।

ତେବେ ଭୂମିକମ୍ପ ନେଇ ଆଇଆଇଟି କାନପୁରର ଆଗୁଆ ସୂଚନା ପରେ ଭୟଭୀତ ହୋଇପଡିଛି ଭାରତ । ଯେଉଁ ସ୍ଥାନରେ ଭୂମିକମ୍ପର ଆଶଙ୍କା ରହିଛି, ସେଠାକାର ପ୍ରଶାସନ, ବିଲଡର ଏବଂ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ଦେଶର ସକ୍ରିୟ ଭୂକମ୍ପ ଫ୍ଲାଟସର ମ୍ୟାପ୍ ପ୍ରସ୍ତୁତ କରୁଛି ଆଇଆଇଟି କାନପୁର । ଏହି ମ୍ୟାପରୁ ଜଣାପଡିବ ଯେ, କେଉଁ ଫ୍ଲାଟ୍ ଲାଇନ୍ ଅଧିକ ସକ୍ରିୟ ଅଛି । ଏହା ସହ ଏହା ମଧ୍ୟ ଜଣାପଡିବ ଯେ, ଭୂମିକମ୍ପ ଫ୍ଲାଟ୍ ଲାଇନର କେତେ ପାଖରେ ଅଛି । ଆଉ ଏଥିରେ କେତେ କ୍ଷତି ହେବାର ସମ୍ଭାବନା ରହିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟ ହିମାଳୟ କ୍ଷେତ୍ରରେ ଯଦି ଭୂମିକମ୍ପ ଆସେ, ତେବେ ଦିଲ୍ଲୀ ଏମସିଆର, ଆଗ୍ରା, କାନପୁର, ଲଖ୍ନୌ, ବାରାଣାସୀ ଏବଂ ପାଟନା ପର୍ଯ୍ୟନ୍ତ ଅଂଚଳ ସାଂଘାତିକ ଭାବେ ପ୍ରଭାବିତ ହୋଇପାରେ । କୌଣସି ବି ବଡ ଭୂମିକମ୍ପର ୩୦୦ରୁ ୪୦୦ କିଲୋମିଟର ପରିଧି ଭିତରେ ପ୍ରଭାବ ପଡିବା ସାଧାରଣ ଅଟେ ।

ଆଉ ଯଦି ଛୋଟ ଭୂମିକମ୍ପ ବି ଆସୁଛି, ତେବେ ଏହାର କମ୍ପନ ମଧ୍ୟ ଦୂର ଦୂରାନ୍ତର ଯାଏଁ ଅନୁଭୂତ ହେବ । ଗଙ୍ଗା ଉପକୂଳ ଅଂଚଳର ମାଟି ଅତ୍ୟନ୍ତ ନରମ ହୋଇଥିବାରୁ, କମ୍ପନ ହେଲେ ଏହା ଧସିଯିବାର ମଧ୍ୟ ସମ୍ଭାବନା ରହିଛି ।