ବିପଦ ସଂକୁଳ ଅବସ୍ଥାରେ ନୌଯାତ୍ରା : ଜୀବନକୁ ପାଣି ଛଡେଇ ରାଜନଗରର ଫେରିଘାଟରେ ନଦୀ ପାର ହେଉଛନ୍ତି ଯାତ୍ରୀ

55

କନକ ବ୍ୟୁରୋ : କିଛି ଗୋଟେ ଅଘଟଣ ଘଟିଲେ ପ୍ରଶାସନ ସଜାଗ ହୋଇ ଉଠେ, କିଛି ଦିନ ପାଇଁ ନିୟମକୁ କଡାକଡି କରିଥାଏ । କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ସେହି ପୁରୁଣା ଦିନକୁ ଦେଖିବାକୁ ମିଳେ । ନିକଟରେ ରାଜନଗର କେରଡାଗଡ ଘାଟରେ ଡଙ୍ଗା ବୁଡି ଯାଇଥିଲେ ମଧ୍ୟ ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ । ହେଲେ ଏବେ ବି କେନ୍ଦ୍ରାପଡା ଜିଲ୍ଲାରେ ପାଖାପାଖି ୫୦ରୁ ଅଧିକ ଫେରି ଘାଟ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ।

ପୂର୍ବରୁ ହିରାକୁଦ ଡଙ୍କା ବୁଡି ହେଉ ବା ଢେଙ୍କାନାଳର ଡଙ୍ଗା ବୁଡି ଘଟଣା, ସତେ ଯେମିତି ପ୍ରଶାସନର କିଛି ମନେ ନାହିଁ । ଜିଲ୍ଲାରେ ପାଖା ପାଖି ୫୦ରୁ ଅଧିକ ଫେରିଘାଟରେ ଏମିତି ନଦୀପାର ହେଉଛନ୍ତି ଯାତ୍ରୀ । ନଦୀପାର ପାଇଁ ଜୀବନକୁ ବାଜି ଲଗେଇ ଡଙ୍ଗାରେ ବସୁଛନ୍ତି ଏମାନେ, ହେଲେ ଏଠି ଏମାନଙ୍କ ସୁରକ୍ଷା ପାଇଁ ନା ଅଛି ଲାଇଫ୍ ବୁୟାଁ ନା ଲାଇଫ୍ ଜାକେଟ୍ । ଆଉ ଏକ ଗୁରୁତ୍ୱପୂଣ୍ଣ କଥା ହେଉଛି କେନ୍ଦ୍ରାପଡାର ବିଭିନ୍ନ ନଦୀରେ କୁମ୍ଭିର ଭୟ ମଧ୍ୟ ରହିଛି ।

ପ୍ରଶାସନର ନିୟମ ଅନୁସାରେ ଫେରିଘାଟରେ ଚାଲୁଥିବା ଡଙ୍ଗାର ପଂଜିକରଣ ହେବା କଥା । ହେଲେ ଜିଲ୍ଲାର କେତେକ ଫେରିଘାଟରେ ବିନା ପଞ୍ଜିକରଣ ଓ ବିନା ସୁରକ୍ଷାରେ ଚାଲିଛି ନୌଯାତ୍ରା । ସତେ ଯେମିତି ଏଦିଗରେ ପ୍ରଶାସନର ନିଘା ନାହିଁ ।

ରାଜନଗରର ଏହି ବିପଦ ସଙ୍କୁଳ ନୈାଯାତ୍ରାକୁ ଦେଖିଲେ ମନେହୁଏ କୈାଣସି ଅଘଟଣ ଘଟିବନି ତ? ଅକାଳରେ ନିରୀହ ଲୋକମାନଙ୍କ ଧନ ଜୀବନ ହାନୀ ହେବନି ତ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରେ ବିପଦ ସଂକୁଳ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ମନରେ ।