ପାଠପଢା ପାଇଁ ବାଜିରେ ଲାଗିଛି ଜୀବନ: କେନ୍ଦୁଝର ତେଲକୋଇରେ ହୃଦୟବିଦାରକ ଚିତ୍ର, ପଢିବା ଲାଗି ହୁଲି ଡଙ୍ଗାରେ ସ୍କୁଲ ପିଲାଙ୍କ ନୌକା ଯାତ୍ରା

40

କନକ ବ୍ୟୁରୋ: ପାଠପଢା ପାଇଁ ବାଜିରେ ଲାଗିଛି ଜୀବନ । ଭରା ନଈରେ ଟଳମଳ ହୁଲି ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଏ ହୃଦୟବିଦାକ ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସମାକୋଇ ନଦୀର । ଛାତ୍ର ବସିଥିବା ଡଙ୍ଗାରେ କାତ ମାରୁଛନ୍ତି ଆଉ ଜଣେ ଛାତ୍ର । ନଦୀ ଆରପଟେ ଥିବା ସାପଲାଞ୍ଜି ଗାଁର ୧୫ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ଏମିତି ଡଙ୍ଗାରେ ସମାକୋଇ ନଦୀ ପାରିହୋଇ କରଦାଙ୍ଗି ସ୍କୁଲକୁ ଯାଇଥାନ୍ତି । ଗାଁକୁ ୩ ପଟୁ ନଦୀ ଘେରି ରହିଥିବା ବେଳେ ଆଉ ଗୋଟିଏ ପରେ ପାହାଡ ରହିଛି । ତେଣୁ ସ୍କୁଲ ହେଉ ବା ଡାକ୍ତରଖାନା ସବୁ କିଛି ପାଇଁ ଏମିତି ନଦୀ ପାର ହେବାକୁ ପଡିଥାଏ ।

କେବେଳ ସ୍କୁଲ ପିଲା ଯେ, ଜୀବନକୁ ବାଜିରେ ଲଗାଇ ହୁଲି ଡଙ୍ଗାରେ ନଦୀପାର ହେଉଛନ୍ତି ତା ନୁହେଁ । ଏ ଦୃଶ୍ୟ ଉପରେ ନଜର ପକାନ୍ତୁ । କେବଳ ମୁଣ୍ଡ ଦେଖାଯାଉଛି, ଶରିରୀର ବାକି ଅଂଶ ନଇପାଣିରେ ବୁଡି ରହିଛି । ଆହାର ପାଇଁ ପହଁରି ପହଁରି ଭରା ନଇ ପାରି ହେଉଛନ୍ତି ସାପଲାଞ୍ଜି ଗାଁର ଗୃହପାଳିତ ପଶୁ ।

ଗାଇ ଗୋରୁ ଖାଦ୍ୟ ପାଇ ଜୀବନକୁ ବିପଦରେ ପକାଉଥିବା ବେଳେ ଭବିଷ୍ୟତ ପାଇଁ ଜୀବନକୁ ବିପଦରେ ପକାଇ ନଦୀପାର ହେଉଛନ୍ତି ଛାତ୍ରଛାତ୍ରୀ । ପାଦେ ପାଦେ ବିପଦ ସତ୍ୱେ ପାଠପଢିବାର ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଛି ସବୁ ବାଧାବିଘ୍ନ ।