ନଈ ଉପରେ ଦଉଡି ଯାତ୍ରା! ଅଚଳ ହୋଇ ପଡିଛି ମୋଟର ବୋଟ୍

33

କନକ ବ୍ୟୁରୋ : ଚିଲିକା ଡଙ୍ଗା ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇବା ପରେ ଏବେ ରାଜ୍ୟର ନୌଯାତ୍ରାକୁ ନେଇ ପ୍ରଶ୍ନ ଉଠିଛି । କେଉଁଠି ବିପଦସଙ୍କୁଳ ହୁଲି ଡଙ୍ଗା ଭରସା ତ ପୁଣି କେଉଁଠି କ୍ଷମତାଠାରୁ ଅଧିକ ଯାତ୍ରୀ ବସି ଡଙ୍ଗାରେ ନଇ ପାର ହେଉଛନ୍ତି । ଏମିତି ଏକ ସମ୍ବେଦନଶୀଳ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଯେଉଁଠି ଆହୁଲାରେ ନୁହେଁ ଦଉଡିରେ ଚାଲେ ଡଙ୍ଗା ।

ତଳେ ଅଜଣା ପାଣିରେ ଭଉଁରୀ । ଉପରେ ଅଚିହ୍ନା ଆକାଶ । ମଝିରେ ବିପଦ ସହ ଖେଳ । ଏଭଳି ଭୟଙ୍କର ଯାତ୍ରା ନିତିଦିନିଆ ମାଲକାନଗିରିର କିଛି ନଈ ସେପାରିର ଲୋକଙ୍କ ପାଇଁ  । ସରକାର ଯେଗାଇ ଥିବା ଯନ୍ତ୍ରଚାଳିତ ଡଙ୍ଗା ଅଚଳ ହୋଇ ପଡିଛି । ଘାଟରେ ନାଉରୀ ନାହାଁନ୍ତି କି ଡଙ୍ଗାରେ ଆହୁଲା ବି ନାହିଁ । ତେଣୁ ବାଧ୍ୟ ହୋଇ ଲୋକେ ଦଉଡିକୁ ଭରସା କରି ଡଙ୍ଗାକୁ ପାର୍ କରୁଛନ୍ତି ଏ ଘାଟରୁ ସେ ଘାଟକୁ ।

ଚିତ୍ରକୋଣ୍ଡା ଜଳଭଣ୍ଡାରର ଲିକଜେ୍ ୱାଟର୍ ଆନ୍ଧ୍ରରୁ ସିଲେରୁ ଦେଇ ସାବେରୀ ନଦୀରେ ମିଶିଛି । ତେଣୁ ସିଲେରୁ କୂଳେ କୂଳେ ଅନେକ ଘାଟରେ ଯାତାୟତ ପାଇଁ ସରକାର ମୋଟର ବୋଟ୍ ଯୋଗାଇ ଦେଇଛନ୍ତି । ହେଲେ ବର୍ଷ ବର୍ଷ ଧରି ସେଗୁଡିକ ଅଚଳ ହୋଇ ପଡିଛି । ତେଣୁ ଡଙ୍ଗା ନୁହେଁ ପୋଲ ପାଇଁ ଦାବି କରିଛନ୍ତି ଅଂଚଳବାସୀ ।

ବିପଦ ସହ ଏ ଖେଳ ଖୁବ୍ ପୁରୁଣା । ହୁଏତ ବର୍ଷର ଅନ୍ୟ ସମୟରେ ଲୋକେ ସାହାସ ଜୁଟାଇ ନଦୀ ପାର୍ ହୋଇଯାଉଛନ୍ତି । ହେଲେ ବର୍ଷା ଦିନରେ ବିଚ୍ଛିନ୍ନ ହୋଇ ପଡୁଛି ଏମାନଙ୍କ ଜୀବନ ।