ଶରୀରକୁ କଷ୍ଟ ଦେଇ ଦଣ୍ଡକାଳୀଙ୍କ ଆଶୀର୍ବାଦ ମାଗିଲେ ଦଣ୍ଡୁଆ ପାଟ ! ଗଂଜାମ ପୋଲସରା ସମେତ ଜିଲ୍ଲାବ୍ୟାପୀ ମେରୁଯାତ୍ରାର ମାହୋଲ

95

କନକ ବ୍ୟୁରୋ : ଶକ୍ତି ଉପାସନାର ଏକାଧିକ ମାର୍ଗ ରହିଛି । ନିଜ ଶରୀରକୁ କଷ୍ଟଦେଇ ଶକ୍ତିଉପାସନା କରିବା ସେଥି ମଧ୍ୟରୁ ଅନ୍ୟତମ । ଗଂଜାମର ମେରୁଯାତ୍ରାରେ ଦେଖିବାକୁ ମିଳିଥାଏ ଏଭଳି କିଛି ପୂଜାପଦ୍ଧତି । ଆଜି ବିଷୁବ ସଂକ୍ରାନ୍ତି ସହ ଶେଷ ହୋଇଛି ମେରୁଉତ୍ସବ । ମେରୁ ଯାତ୍ରା ଅବସରରେ ଦେଖିବାକୁ ମିଳିଛି ଭକ୍ତଙ୍କ ଗହଳି ଓ ଦଣ୍ଡୁଆଙ୍କ ମେରୁପୁଜା । ବିଶ୍ୱାସ, ଅଂଧବିଶ୍ୱାସରୁ ଉଦ୍ଧ୍ୱର୍ରେ ପୁରୁଣା ପରମ୍ପରାକୁ ମାନି ଚାଲିଛି ଶକ୍ତି ଉପାସନା । ଗଂଜାମ ପୋଲସରା ବ୍ଲକ୍ ରୁମାଗଡ଼ରେ ଥିବା ମା’ ଦଣ୍ଡକାଳୀ ମନ୍ଦିରର । ଯେଉଁଠି ମାନସିକଧାରୀଙ୍କ ମନ କହୁଛି ଶରୀରକୁ କଷ୍ଟ ଦେଲେ ହିଁ ମିଳିବ ଆଶୀର୍ବାଦ । କିଏ ମେରୁଖୁଂଟରେ ନିଜକୁ ବାନ୍ଧି ନିଜକୁ ଦେଉଛି ଶାରୀରିକ ଯାତନା ତ ପୁଣି ଆଉ କେହି ଭକ୍ତ ନିଜ ଶରୀରକୁ ଧୂଳିଦାଣ୍ଡରେ ଲୋଟାଇଦେଉଛି । ସେହିପରି ଜଳଦଣ୍ଡର ନୀତିନିୟମକୁ ମଧ୍ୟ ନିଷ୍ଠାର ସହ ପାଳିଛନ୍ତି ହଜାର ହଜାର ମାନସିକଧାରୀ ଭକ୍ତ ।

ପରମ୍ପରା ଅନୁଯାୟୀ ଦଣ୍ଡୁଆମାନେ ୧୩ ଦିନ, ୧୮ ଦିନ ଓ ୨୧ ଦିନ ବ୍ରତ ଉପବାସ ରଖିଥାନ୍ତି ଓ ଶରୀରକୁ ଧୂଳିଦଣ୍ଡ, ଜଳଦଣ୍ଡ ଓ ମେରୁଦଣ୍ଡ ମାଧ୍ୟମରେ କଷ୍ଟଦେଇ ମା’ ଦଣ୍ଡକାଳୀଙ୍କ ଆଶୀର୍ବାଦ ପାଇଥାନ୍ତି । ମେରୁଉତ୍ସବ ବେଳେ ମା’ ଦଣ୍ଡକାଳୀଙ୍କ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତଙ୍କର ବିଶ୍ୱାସ ରହିଛି । ଶକ୍ତି ଉପାସନାର ରହିଛି ଅନେକ ବାଟ । ମେରୁଉତ୍ସବ ସେଭଳି ହିଁ ଏକ ଅବସର ଯେଉଁଠି ଦୈବୀକୃପା ସାମ୍ନାରେ ମଣିଷ ଶରୀରକୁ ତୁଚ୍ଛ କରିଦିଆଯାଏ । ଚଳିତ ବର୍ଷ ଗଂଜାମରେ ଧୁମଧାମରେ ଶେଷ ହୋଇଛି ମେରୁଯାତ୍ରା ଅପେକ୍ଷା ପୁଣି ଆସନ୍ତା ବର୍ଷକୁ ଯେବେ ଶକ୍ତି ଆଶୀର୍ବାଦ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୁଣି ମିଳିବ ସୁନେଲି ଅବସର ।