ଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ଦାନ ମାଝି

49

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିଲ୍ଲୀରୁ ବିମାନରେ ଭୁବନେଶ୍ୱରରେ ଫେରିଛନ୍ତି ଦାନ ମାଝି । ଏଥିପାଇଁ ବିମାନ ବନ୍ଦରରେ ଗଣମାଧ୍ୟମର ଭିଡ ଜମିଥିଲା । ନିଜ ଚିରାଚରିତ ପୋଷାକରେ ନଜର ଆସିଥିଲେ ଦାନ ମାଝି । ସମସ୍ତେ ପ୍ରଶ୍ନ କରିଥିଲେ, ତାଙ୍କୁ କିଏ କେତେ ଟଂକା ଦେଇଛି । ତେବେ ଦାନ ମାଝିଙ୍କ ପାଖରେ ନଥିଲା ଖବର । ଆଉ କେହି କେହି ପ୍ରଶ୍ନ କରିଥିଲେ ଏତେଗୁଡାଏ ଟଂକା ସେ କଣ କରିବେ । ଦାନ ମାଝି କହିଥିଲେ ସବୁ ଟଂକା ବ୍ୟାଙ୍କରେ ଜମା କରିବେ ଏବଂ ଝିଅଙ୍କ ପାଠପଢାରେ ଖର୍ଚ୍ଚ କରିବେ ।

ବାହାରିନ୍ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ୯ ଲକ୍ଷ ଟଙ୍କା ଗତକାଲି ଦାନ ମାଝିଙ୍କୁ ପ୍ରଦାନ କରାଯାଇଥିଲା । ନିଜେ ଦାନ ମାଝି ଦିଲ୍ଲୀ ଯାଇ ବାହାରିନ୍ ଦୂତାବାସରୁ ଏହି ଦାନ ଅର୍ଥ ଗ୍ରହଣ କରିଥିଲେ । ଏହା ପୂର୍ବରୁ ଲକ୍ଷାଧିକ ଟଙ୍କାର ସରକାରୀ ଓ ବେସରକାରୀ ସହାୟତା ମଧ୍ୟ ପାଇଛନ୍ତି ଦାନ ମାଝି । ତିନି ଝିଅ ପାଠ ପଢିବାକୁ ଭୁବନେଶ୍ୱର ଚାଲି ଆସିଲେଣି ଦାନ । ମୋଟାମୋଟି କହିବାକୁ ଗଲେ ବଦଳି ଯାଇଛି ଦାନ ମାଝିଙ୍କ ଜୀବନ । କାରଣ ମାତ୍ର ୨୦ ଦିନ ତଳେ ଆମ୍ବୁଲାନ୍ସ ନପାଇ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହିଥିବା ଦାନ ମାଝି ଏବେ ଲକ୍ଷପତି ।