ଦାନ ମାଝିଙ୍କ ଜୀବନରେ ନୂଆ ମୋଡ : ପୁଣି ହେବ ଦାନ ମାଝିଙ୍କ ବାହାଘର

78

କନକ ବ୍ୟୁରୋ : ପୁଣି ଥରେ ଦାନ ମାଝୀଙ୍କୁ ନେଇ ଚର୍ଚ୍ଚା । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେଇ ଲୋକଙ୍କ ଆଖିରୁ ଲୁହ ବୁହାଇଥିବା ଦାନ ମାଝୀ, ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ନିକଟରେ ସେ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ଝିଅ ଦେଖା ସରିଛି, ଇନ୍ଦିରା ଆବାସ ଯୋଜନାରେ ଘର ତିଆରି ଆରମ୍ଭ ହୋଇଛି । ନୂଆ ଘରେ ନୂଆ ସଂସାର ଗଢିବେ ଦାନ ମାଝୀ ।

ଗତବର୍ଷ ଅଗଷ୍ଟ ମାସର ଦୃଶ୍ୟ ଥିଲା ଅତି ହୃଦୟ ବିଦାରକ । ଭବାନୀପାଟଣା ଡାକ୍ତରଖାନାରୁ ପତ୍ନୀଙ୍କ ମୃତଦେହକୁ ନିଜ କାନ୍ଧରେ ୧୦ କିଲୋମିଟର ବାଟ ବୋହି ନେଇଥିଲେ ଦାନ ମାଝୀ । ଏହି ଅଭାବନୀୟ ଘଟଣା ସାରା ଦୁନିଆରେ ଚର୍ଚ୍ଚା ହୋଇଥିଲା । ଏହା ବ୍ୟବସ୍ଥାର ଶବଯାତ୍ରା ବୋଲି ଚିତ୍ରଣ କରିଥିଲା ଗଣମାଧ୍ୟମ । ଜଣେ ଅସହାୟ ମଣିଷର ପ୍ରତୀକ ପାଲଟି ଯାଇଥିଲେ ଦାନ ମାଝୀ ।

ଆଉ ଥରେ ହାତକୁ ଦି’ ହାତ ହେବେ ଦାନ ମାଝୀ । ନିକଟରେ ଝିଅ ଦେଖି ଫେରିଛନ୍ତି ଦାନ ମାଝୀ । ପ୍ରାଥମିକ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ରାୟଗଡ଼ା କାଶିପୁରର ଆଲମତୀ ଦେଈ ହେବେ ଦାନଙ୍କ ତୃତୀୟ ପତ୍ନୀ । ତାଙ୍କର ଦେଖାଶୁଣା ଓ ଘର କାମ ପାଇଁ ତୃତୀୟ ବିବାହ କରୁଥିବା କହିଛନ୍ତି ଦାନ ମାଝୀ । ତାଙ୍କର ପ୍ରଥମ ଦୁଇ ପତ୍ନୀ ଯକ୍ଷ୍ମା ରୋଗରେ ପଡି ମୃତ୍ୟୁବରଣ କରିଛନ୍ତି । ଏବେ ବଡ଼ ଝିଅ ମଧ୍ୟ ଯକ୍ଷ୍ମା ରୋଗାକ୍ରାନ୍ତ । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେବା ଘଟଣା ପରେ ଭୁବନେଶ୍ୱର କିସ୍ ଆବାସିକ ବିଦ୍ୟାଳୟରେ ପାଠ ପଢୁଛନ୍ତି ତାଙ୍କର ୩ ଝିଅ । ଇନ୍ଦିରା ଆବାସ ଯୋଜନାରେ ଘର ତିଆରି ପାଇଁ ଏବେ ଲାଗି ପଡିଛନ୍ତି ଦାନ ମାଝୀ । ନୂଆ ଘରେ ପୁଣି ଥରେ ସେ ଗଢିବେ ତାଙ୍କର ନୂଆ ସଂସାର ।