ବାପି ସର୍ଖେଲଙ୍କୁ ଗିରଫ ପାଇଁ ଏସପିଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ଦାମୋଦର ରାଉତ

30

କନକ ବ୍ୟୁରୋ : ପୁଣି ଦାମ ବାପି ମୁହାଁମୁହିଁ । ଏଥର ପାରାଦୀପ ବିଧାୟକ ତଥା ସମବାୟ-ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସିଧାସଳଖ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ଟାର୍ଗେଟ କରି ଜଗତସିଂପୁର ଏସ.ପି.ଙ୍କୁ ଚିଠି ଲେଖିଛନ୍ତି । ପାରାଦୀପରେ ଅପରାଧ ପାଇଁ ବାପିଙ୍କୁ ଦାୟୀ କରିଛନ୍ତି ରାଉତ ।

ଦାମ ତାଙ୍କ ଚିଠିରେ ବାପିଙ୍କୁ ମାଫିଆ ବୋଲି ଉଲ୍ଲେଖ କରିବା ସହିତ ତାଙ୍କ ବିରୋଧରେ ଥିବା କିଛି ପୁରୁଣା ମାମଲା ଓ ଏହାର ସବିଶେଷ ବିବରଣୀ ମଧ୍ୟ ଯୋଡିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏସ.ପିଙ୍କୁ ଚିଠି ଲେଖିଛନ୍ତିି ଦାମ । ନୂଆକରି  କାର୍ଯ୍ୟରେ ଯୋଗଦେଇଥିବା ଜଗତସିଂହପୁର ଏସପି ଜୟନାରାୟଣ ପଙ୍କଜଙ୍କୁ ଗତ ୧୪ ତାରିଖରେ ଡାକ୍ତର ରାଉତ ନିଜ ଲେଟର ପ୍ୟାଡରେ ଏଭଳି ଏକ ଚିଠି ଲେଖିଛନ୍ତି ।

ପୁରୁଣା ମାମଲାଗୁଡିକର ବର୍ତମାନ କି ଷ୍ଟାଟସ ରହିଛି ତାହାର ରିଭ୍ୟୁ କରିବାକୁ ମଧ୍ୟ ଦାମ ଲେଖିଛନ୍ତି । ପରୋକ୍ଷରେ ବାପି ସର୍ଖେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ଡାକ୍ତର ଦାମ ରାଉତ । ସମବାୟ ମନ୍ତ୍ରୀ ତାଙ୍କ ଚିଠିରେ ପାରାଦୀପ ଶିଳ୍ପାଂଚଳରେ ବୃଦ୍ଧି ପାଉଥିବା ଅପରାଧ ପାଇଁ ଚିନ୍ତା ପ୍ରକଟ କରିବା ସହ ପାରାଦୀପ ପୁଲିସ ଓ ସ୍ଥାନୀୟ ପ୍ରଶାସନର ଅପାରଗତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦାମଙ୍କ ଚିଠି ପରେ ସରଗରମ ହୋଇଛି ଜଗତସିଂହପୁର ରାଜନୀତି । ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ସେ କହିଛନ୍ତି, ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଷଡଯନ୍ତ୍ର କରୁଛନ୍ତି ଦାମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –