ପୁରୀ ବନ୍ଦବେଳର ହିଂସାକାଣ୍ଡକୁ ନେଇ ଜୋର ଧରିଲା ରାଜନୀତି ! ପରସ୍ପର ଉପରକୁ କାଦୁଅ ଫିଙ୍ଗିଲେ ବିଭିନ୍ନ ଦଳର ନେତା, ମହେଶ୍ୱରଙ୍କୁ ଟାର୍ଗେଟ କଲେ ଦାମ

36

କନକ ବ୍ୟୁରୋ : ପୁରୀ ହିଂସାକାଣ୍ଡ ଘଟଣାକୁ ନେଇ ତେଜିଲା ରାଜନୀତି । ଶ୍ରୀକ୍ଷେତ୍ରରେ ବ୍ୟାପକ ଭଂଗାରୁଜା ଓ ପୋଡାଜଳା ପାଇଁ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଆଡକୁ ଅଙ୍ଗୁଳି ଉଠାଇଛିି ବିଜେପି । ଏହାର ଜବାବ ରଖି ମହେଶ୍ୱର କହିଛନ୍ତି, ବିଜେପି କର୍ମୀ ତାଙ୍କ ଘର ଉପରେ ଆକ୍ରମଣ କରିଥିବା ନେଇ ତାଙ୍କ ପାଖରେ ପ୍ରମାଣ ରହିଛି । ସେପଟେ ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥା ଏବଂ ଏହାକୁ ନେଇ ହିଂସାକାଣ୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି ଅନେକ ବରିଷ୍ଠ ନେତା ।

ଧାଡି ଦର୍ଶନକୁ ବିରୋଧ କରି ପ୍ରତିବାଦ ନାଁରେ ଘଟିଥିବା ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ରାଜନୀତି । ପୁରୀରେ ବ୍ୟାପକ ପୋଡାଜଳା ଓ ଭଂଗାରୁଜା ପାଇଁ ସ୍ଥାନୀୟ ବିଧାୟକଙ୍କୁ ଦାୟୀ କରିଛି ବିଜେପି । ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ବିଶୃଙ୍ଖଳା କରି ସହାନୁଭୂତି ପାଇଁ ନାଟକ କରୁଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ସେପଟେ ମହେଶ୍ୱର କହିଛନ୍ତି, ଶ୍ରୀକ୍ଷେତ୍ରରେ ଅଶାନ୍ତିର ନିଆଁ ଲଗାଇଛି ବିଜେପି । ଏନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ।

puriଏପଟେ ଧାଡି ଦର୍ଶନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଜଗନ୍ନାଥ ମନ୍ଦିର ସଙ୍କଟରେ ରହିଛି ଏବଂ ଏଥିପାଇଁ ବାହାରୁ ଷଡଯନ୍ତ୍ର ହେଉଛି ବୋଲି ବିଜୟ କହିଛନ୍ତି । ଘଟଣାରେ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଇସ୍ତଫା ଦାବି କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । ସେପଟେ ପୋଲିସ, ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସ ନେତାଙ୍କୁ ଗିରଫ କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି । ଘଟଣାର ୫ ଦିନ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଜଗନ୍ନାଥଙ୍କ ପ୍ରଥମ ସେବକ । ତୀର୍ଥକ୍ଷେତ୍ର ପୁରୀରେ ଏତେ ବଡ ଧରଣର ବିଶୃଙ୍ଖଳା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଗଜପତି ।

ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ପୋଲିସ ଗିରଫଦାରୀର ପ୍ରତିବାଦ କରିଛନ୍ତି ସେବାୟତ । ଏଥିପାଇଁ ପୁରୀ ପୋଲିସ ବିରୋଧରେ ଏଫଆଇଆର କରିବାକୁ ସେବାୟତ ଅଂଟା ଭିଡିଛନ୍ତି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ଏବଂ ଆମିକସକ୍ୟୁରୀଙ୍କ ସୁପାରିଶରେ ଆରମ୍ଭ ହୋଇଥିଲା ଧାଡି ଦର୍ଶନ ବ୍ୟବସ୍ଥା । ହେଲେ ବ୍ୟବସ୍ଥାର ପ୍ରତିବାଦରେ ଘଟିଗଲା ବଡ ଧରଣର ହିଂସାକାଣ୍ଡ । ଏବେ ଘଟଣାକୁ ନେଇ ଜୋର ଧରିଛି ରାଜନୀତି ।