ପାରାଦୀପ ନୁହେଁ ବାଲିକୁଦା-ଏରସମାରୁ ଲଢିବେ ଦାମୋଦର ରାଉତ । ଦଳ ବଦଳ ସହ ଆସନ ବଦଳିବା ହେବ ତ ଶୁଭଙ୍କର?

୨୦୦୯ ଓ ୨୦୧୪ରେ ପାରାଦୀପରୁ ନିର୍ବାଚନ ଲଢିଥିବା ଦାମ ବାବୁ ୨୦୧୯ରେ ବାଲିକୁଦା-ଏରସମା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିବେ ।

657

କନକ ବ୍ୟୁରୋ : ବିଜେଡି ଛାଡି ବିଜେପିରେ ଯୋଗଦେବା ସହ ବଦଳିଛି ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନ ମଣ୍ଡଳୀ । ୨୦୦୯ ଓ ୨୦୧୪ରେ ପାରାଦୀପରୁ ନିର୍ବାଚନ ଲଢିଥିବା ଦାମ ବାବୁ ୨୦୧୯ରେ ବାଲିକୁଦା-ଏରସମା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିବେ । ବିଜେପିରେ ସାମିଲ ହେବା ଦିନ ଯଦିଓ ଦାମ ବାବୁ ଏନେଇ ସୂଚନା ଦେଇ ଦେଇଥିଲେ, ତେବେ ବିଧିବଦ୍ଧ ଭାବେ ତାଲିକା ସାମ୍ନାକୁ ଆସିବା ପରେ ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ୨୦୧୯ ପାଇଁ ବିଜେଡି ବାଲିକୁଦା ଏରସମାରୁ କାହାକୁ ପ୍ରାର୍ଥୀ କରିବ, ତାହା ଏକ ରୋଚକ ସ୍ଥିତିରେ ଆସି ପହଂଚିଛି । ବର୍ତମାନର ବିଧାୟକ ଥିବା ପ୍ରଶାନ୍ତ ମୁଦୁଲି ଯିଏ ଦାମ ହଟାଅ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ତାଙ୍କୁ ସୁଯୋଗ ମିଳିବ ନା ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ରଘୁନନ୍ଦନ ଦାସଙ୍କୁ ଦଳ ଟିକେଟ ଦେବ?

ବିଜେପିକୁ ଦାମ ଝଟକା ସେତେବେଳେ ଲାଗିଥିଲା ଯେତେବେଳେ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ହୋଇ ୩୨ ହଜାର ଭୋଟ ପାଇଥିବା ରଘୁନନ୍ଦନ ବିଜେପି କ୍ୟାମ୍ପ ଛାଡି ବିଜେଡିରେ ସାମିଲ ହୋଇଥିଲେ । ତେବେ ୨୦୧୯ ପାଇଁ ଦାମ ରାଉତ ଯେତେବେଳେ ନିଜ ପାରାଦୀପ ଆସନ ଛାଡି ଅନ୍ୟ ଆସନ ଆଡେ ମୁହାଁଇଛନ୍ତି, ସେତେବେଳେ ବିଜେଡି କଣ ରଣନୀତି ଆପଣାଇବ, ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତେବେ ଦାମ ହଠାତ ଆସନ ବଦଳାଇବା ପଛର କାରଣ ସହଜରେ ବୁଝାପଡୁନି । କୁହାଯାଉଛି, ନିଜ ପୁଅ ପାଇଁ ଅନ୍ତରାୟ ସୃଷ୍ଟି କରିବା ବଦଳରେ ଦାମ ବାବୁ ନିଜ ପୁରୁଣା ଆସନକୁ ଫେରିବାକୁ ଅଧିକ ଭଲ ମଣିଲେ । ନଚେତ ଯଦି ବିଜେଡି ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ଟିକେଟ ଦେଇଥାନ୍ତା ତେବେ ରାଜନୀତିରେ ବାପା-ପୁଅ ଲଢେଇ ଦେଖିବାକୁ ମିଳିଥାନ୍ତା । ବୋଧେ ଏହି ଦିଗକୁ ଆଖି ଆଗରେ ରଖି ନିଜେ ଦାମ ବାବୁ ଗୋଟିଚାଳନା କରିଥାଇ ପାରନ୍ତି ।

୫ ଥର ଦାମ ବାବୁ ଏରସମା ଆସନରୁ ଜିତିଥିଲେ । ହେଲେ ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ପରେ ପାରାଦୀପ ମୁହାଁ ହୋଇଥିଲେ ଏହି ଅଭିଜ୍ଞ ରାଜନେତା । ଏପରିକି ଲଗାତର ଦୁଇ ଥର ମଧ୍ୟ ଏହି ଆସନରୁ ସେ ଜିତିଥିଲେ । ଜନତା ଦଳ ଆଉ ପରେ ବିଜୁ ଜନତା ଦଳ ରହିଥିଲା ଦାମ ବାବୁଙ୍କ ଠିକଣା । ହେଲେ ଏହାରି ଭିତରେ ଦଳ ବଦଳ କରିବା ସହ ନିଜ ଆସନ ମଧ୍ୟ ବଦଳାଇଛନ୍ତି ଦାମୋଦର ରାଉତ । ନଜର ରହିବ, ଏହି ବଦଳିଥିବା ପାଣିପାଗ ତାଙ୍କ ପାଇଁ ସୁହାଉଛି ନା ଅନେକ ଆହ୍ୱାନ ସୃଷ୍ଟି କରୁଛି ।